ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେଉଥିବା ସ୍ଥାନରେ ଆୟୋଜିତ ଏହି ଶିବିରରେ ମୋଟ ୧୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ।

ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ସ୍ବେଚ୍ଛାକୃତ ରକ୍ତଦାନ ଭଳି ମହତକାର୍ଯ୍ୟରେ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଆଗେଇ ଆସିବାକୁ ସେ ଆହ୍ବାନ କରିଥିଲେ । ଶିବିରରେ ୨୪ଜଣ ମହିଳା ରକ୍ତଦାତାଙ୍କ ସମେତ ମୋଟ ୧୦୨୍‌ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ମହିଳାମାନଙ୍କର ଉଲ୍ଲେଖନୀୟ ଅଂଶଗ୍ରହଣ ଶିବିରର ଏକ ବିଶେଷ ଆକର୍ଷଣ ହୋଇଥିଲା । ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ ଏବଂ ସମ୍ପାଦକ ଜି. ରମେଶଙ୍କ ତତ୍ତ୍ୱାବଧାନରେ ଏହି ରକ୍ତଦାନ ଶିବିର ପରିଚାଳିତ ହୋଇଥିଲା।

ଶିବିରର ସଫଳ ଆୟୋଜନରେ ବରଗଡ଼ ଜିଲା ପ୍ରଶାସନ, ଏନ୍‌ସିସି ଆଲୁମିନି, ବରଗଡ଼ ଫିଜିକାଲ ଏକାଡେମୀର ଛାତ୍ରୀଛାତ୍ର ଏବଂ ପରିଚାଳକ ସୁରେଶ କୁମାର ଦାଶ ସହଯୋଗ କରିଥିଲେ । ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ମାନବସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂକଳ୍ପ ପରିବାରକୁ ଜିଲାସ୍ତରୀୟ ସ୍ବାଧୀନତା ଦିବସ ମଞ୍ଚରେ ବରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଜିଲାପାଳ ଆଦିତ୍ୟ ଗୋୟଲ, ଏସପି ରବୀନ୍ଦ୍ରନାଥ ଶତପଥୀ ସଂକଳ୍ପ ପରିବାରକୁ ପ୍ରଶଂସାପତ୍ର ଓ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରିଥିଲେ।

Share