ନିଜ ଦେଶର ବଙ୍କରରେ ସୁରକ୍ଷିତ ଅଛନ୍ତି ଜେଲେନ୍‌ସ୍କି

କ୍ୱିଭ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି। ଶନିବାର ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ରକେଟ ମାଡ଼ କରାଯାଇଛି। ଗୋଟିଏ ପଟେ ରୁଷିଆ ଲଗାତର ଭାବେ ଦାବି କରିଆସୁୁଛି ଯେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନିଜ ଦେଶ ଛାଡି ପୋଲାଣ୍ଡକୁ ପଳାଇଛନ୍ତି। ଅନ୍ୟପପଟେ ଏହି ଅଭିଯୋଗକୁ ଖଣ୍ଡନ କରି ଜେଲେନ୍‌ସ୍କି ୟୁକ୍ରେନରେ ଅଛନ୍ତି ବୋଲି ଦାବି କରୁଛନ୍ତି। ଇତିମଧ୍ୟରେ ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ ଅଜାରୋଭଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ଜେଲେନ୍‌ସ୍କି କ୍ୱିଭରେ ଥିବା ନେଇ ସ୍ପଷ୍ଟ କରିବା ସହ ସେ ସୁରକ୍ଷିତ ଅଛନ୍ତି ବୋଲି ଅଜାରୋଭ କହିଛନ୍ତି। ଜେଲେନ୍‌ସ୍କି ଯେଉଁ ବଙ୍କରରେ ଅଛନ୍ତି, ତାହା ଏତେ ଶକ୍ତିଶାଳୀ ଯେ, ସେଠାରେ ପରମାଣୁ ଆକ୍ରମଣ ମଧ୍ୟ ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଜେଲେନ୍‌ସ୍କି ୟୁକ୍ରେନ ଛାଡି ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି ବୋଲି ରୁଷିଆର ଏକ ସରକାରୀ ଗଣମାଧ୍ୟମ ଦାବି କରିଥିଲା। ଏହାପରେ ଜେଲେନ୍‌ସ୍କି ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ଯେଉଁଥିରେ ସେ ୟୁରୋପୀୟ ଦେଶମାନଙ୍କୁ କହିଛନ୍ତି, ଯଦି ୟୁକ୍ରେନୁ ସମର୍ଥନ ନ କରାଯାଏ ତେବେ ୟୁରୋପ ମଧ୍ୟ ରୁଷିଆଠାରୁ ସୁରକ୍ଷିତ ରହିବ ନାହିଁ। ଅନ୍ୟପଟେ ୟୁକ୍ରେନର ସଂସଦ ଦାବି କରିଛି ଯେ, ରାଷ୍ଟ୍ରପତି ଜେଲେନ୍‌ସ୍କି ଏବେ ବି କ୍ୱିଭ୍‌ରେ ଅଛନ୍ତି। ରୁଷିଆର ଆକ୍ରମଣ ପରଠାରୁ ନିଜ ଦେଶ ଛାଡି ପଳାୟନ କରିବେ ନାହିଁ କହିଆସୁଥିବା ବେଳେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ କ୍ୱିଭରେ ରହି ଆକ୍ରମଣ ଜାରି ରଖିବେ ଜେଲେନ୍‌ସ୍କି କହିଛନ୍ତି।

Share