ସମୁଦ୍ରରେ ଆଗ୍ନେୟଗିରି ଉଦ୍‌ଗିରଣ, ସୁନାମୀ ସହିତ ଆକାଶରୁ ପଥର ବର୍ଷା…

ଟୋଙ୍ଗା, ୧୫।୧ : ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଥିବା ପଲିନେସିଆ ଦେଶ ଟୋଙ୍ଗା ଦ୍ୱୀପ ନିକଟରେ ଥିବା ସମୁଦ୍ରରେ ଶନିବାର ଆଗ୍ନେୟଗଗିରି ଉଦ୍‌ଗିରଣ ଘଟିଛି। ଏହାର ପ୍ରଭାବରେ ଅକାଶରୁ ପଥର ବର୍ଷା ହେବା ସହିତ ସୁନାମୀ ସୃଷ୍ଟି ହୋଇଛି। ଏନେଇ ଫିଜି ଏବଂ ନ୍ୟୁଜିଲାଣ୍ଡରେ ସୁରକ୍ଷା ଦୃଷ୍ଟିରୁ ସୁନାମୀ ଆଲର୍ଟ ଜାରି କରାଯାଇଛି।

ଆଗ୍ନେୟଗିରି ଉଦ୍‌ଗିରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏଥିରୁ ବାହାରିଥିବା ପାଉଁଶ ଏବଂ ପଥର ଟୁକୁଡ଼ା ୨୦ କିଲୋମିଟର ଦୂରରେ ପଡ଼ିଥିଲା। ଆଗ୍ନେୟଗିରି ଉଦ୍‌ଗିରଣ ଭାରତୀୟ ସମୟ ଅପରାହ୍ନ ୫ଟା ୧୦ରେ ହୋଇଥିଲା। ଏହାର ୨୦ ମିନିଟ ପରେ ସୁନାମୀ ଆସିଥିଲା। ଏହାର ପ୍ରଭାବରେ ଟୋଙ୍ଗାର ରାସ୍ତା ଏବଂ କୋଠାରେ ଜୁଆର ମାଡ଼ ହେବାରେ ଲାଗିଥିଲା।

ଆକାଶରେ ବହଳ ଧୂଆଁ ବ୍ୟାପି ଯିବାରୁ ଟୋଙ୍ଗା ସହିତ ସମସ୍ତ ବିମାନ ଚଳାଚଳକୁ ବାତିଲ କରାଯାଇଛି। ବିସ୍ଫୋରଣର ପ୍ରଭାବ ୨୬୦ କିଲୋମିଟର ପରିସୀମା ମଧ୍ୟରେ ଦେଖିବାକୁ ମିଳିଛି।

ଘରେ ସମୁଦ୍ର ପାଣି ପସିଯିବାରୁ ଲୋକେ ଜୀବନ ବଞ୍ଚାଇବା ପାଇଁ ଘର ଛାତ ଉପରକୁ ପଳାଇଥିଲେ। ଏହାକୁ ନେଇ ଟୋଙ୍ଗାର ୧୬୯ ଦ୍ୱୀପରେ ସତର୍କ ସୁଚନା ଜାରି କରାଯିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Share