କୋରାପୁଟ,୨୬।୧୧(ଅମିତାଭ ବେହେରା): ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ପ୍ରତି ଅନୁରାଗ ବୃଦ୍ଧି ସହ ସୀମାନ୍ତ ଅଞ୍ଚଳରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ କୋଟିଆଠାରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସାରସ୍ବତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମାତୃଭୂମି ମାତୃଭାଷା ପରିବାରର ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଅବସରପ୍ରାପ୍ତ ଅତିରିକ୍ତ ଜିଲାପାଳ ପଦ୍ମନାଭ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଜନଜାତି ଗବେଷକ ଡ. ଜଗବନ୍ଧୁ ସାମଲ ଯୋଗଦେଇ କୋଟିଆବାସୀଙ୍କ ସହ ନିରନ୍ତର ସମ୍ପର୍କ ସ୍ଥାପନ, ପଟ୍ଟାଙ୍ଗୀ ବ୍ଲକର ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଏବଂ କୋଟିଆ ଗ୍ରାମପୁଞ୍ଜର ସ୍କୁଲଗୁଡ଼ିକୁ ଅଧିକ ସଂଖ୍ୟାରେ ଶିଶୁଲେଖା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମାନିତ ଅତିଥି ଅତିରିକ୍ତ ତହସିଲଦାର ସ୍ବାଗତିକା ରାଉତ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଚିବ ତଥା କବି ସଞ୍ଜୟ କୁମାର ଛୁଆଳସିଂହ ଯୋଗ ଦେଇଥିଲେ। ଏକାଡେମୀର ଉପସଚିବ ମାତୃଭୂମି ମାତୃଭାଷା ପରିବାରର ‘ସୀମାନ୍ତ ସମ୍ପର୍କ ଓ ସୁରକ୍ଷା ଅଭିଯାନ’କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏକାଡେମୀର ସହଯୋଗ ଜାରି ରହିବ ବୋଲି କହିଥିଲେ।
ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସଂସ୍କୃତ ବିଦ୍ୱାନ ଡ. ସୁରେନ୍ଦ୍ରନାଥ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କବି ସୁକୁମାର ବିଶ୍ୱାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍ତମ୍ଭକାର ଉପେନ୍ଦ୍ର ବିଶ୍ୱାଳ ସଂଗଠନର ରୂପରେଖ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରଖିଥିଲେ। ନାଟ୍ୟକାର ଅଜିତ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ହୋଇଥିଲା। କବୟିତ୍ରୀ ସୁସ୍ମିତା ମହାପାତ୍ର ଓ ବଂଶୀଧର ମହାପାତ୍ର ଏହାକୁ ସଞ୍ଚାଳନ କରିଥିଲେ। କବି ରଜତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଅଧିବେଶନରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଓ ଶେଷରେ ବନ୍ଦେ ମାତରମ୍ ଗାନ ସହ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଥିଲା।