Categories: ଜାତୀୟ

୧୨ ଫେବୃୟାରୀରୁ ଖୋଲିବ ମୋଗଲ ଗାର୍ଡେନ…

ନୂଆଦିଲ୍ଲୀ, ୯।୨ : ରାଜଧାନୀ ଦିଲ୍ଲୀର ସବୁଠାରୁ ପ୍ରସିଦ୍ଧ ବଗିଚା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଫେବୃଆରୀ ୧୨ ରୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ମଙ୍ଗଳବାର ରାଷ୍ଟ୍ରପତି ଭବନ ଦ୍ୱାରା ଜାରି ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ବାର୍ଷିକ ରାଷ୍ଟ୍ରପତି ଭବନ ଉଦ୍ୟାନୋତ୍ସବ-ମୋଗଲ ଗାର୍ଡେନ ସାଧାରଣ ଜନତାଙ୍କ ପାଇଁ ଫେବୃଆରୀ ୧୨ ରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ଖୋଲା ରହିବ। ସପ୍ତାହରେ ସୋମବାର ବ୍ୟତୀତ ଏହା ଅନ୍ୟ ଦିନ ଖୋଲା ଯିବ।

କରୋନ। ମହାମାରୀ ସଂକ୍ରମଣ ଯୋଗୁଁ ମୋଗଲ ଗାର୍ଡେନ ମଧ୍ୟ ବନ୍ଦ ରହିଥିଲା। କୋଭିଡ ମହାମାରୀର ବିପଜ୍ଜନକ ଦ୍ୱିତୀୟ ଲହର ସମୟରେ ଦିଲ୍ଲୀରେ ଅନେକ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ମୋଗଲ ଗାର୍ଡେନ ମଧ୍ୟ ବନ୍ଦ ରହିଥିଲା।
ରାଷ୍ଟ୍ରପତି ଭବନରେ ଅବସ୍ଥିତ ମୋଗଲ ଗାର୍ଡେନ ୧୫ ଏକର ପରିମିତ ଅଞ୍ଚଳରେ ରହିଛି।
ଜମ୍ମୁ-କଶ୍ମୀରର ମୋଗଲ ଗାର୍ଡେନ, ତାଜମହଲର ବଗିଚା ଏବଂ ଭାରତ ଏବଂ ପାରସ୍ୟର ଗାର୍ଡେନରୁ ଏହାର ନିର୍ମାଣ ପାଇଁ ପ୍ରେରଣା ନିଆଯାଇଛି। ଏଠାକାର ରଙ୍ଗୀନ ଫୁଲର କାର୍ପେଟଗୁଡିକ ସୁନ୍ଦର ଏବଂ ଅଳଙ୍କାରିକ ଗଛ ଏବଂ ଏକ ବିରାଟ ଆୟତାକାର ବଗିଚା ଏଠାକୁ ଆସୁଥିବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।

ଏହାର ରୋଜ ଗାର୍ଡେନରେ ପ୍ରାୟ ୧୩୫ ପ୍ରକାରର ଗୋଲାପ ଅଛି। ଏହି ରୋଜ ଗାର୍ଡେନକୁ ଦୁନିଆର ସବୁଠାରୁ ସୁନ୍ଦର ଏବଂ ସର୍ବୋତ୍ତମ ଉଦ୍ୟାନ କୁହାଯାଏ । ମୋଗଲ ବଗିଚାରେ ଦୁଇଟି ଭିନ୍ନ ଉଦ୍ୟାନ ଅଛି। ଗୋଟିଏ ମୋଗଲ ଶୈଳୀ ଏବଂ ଅନ୍ୟଟି ଇଂରେଜ ଫୁଲ ବଗିଚା ।

ଚଳିତ ବର୍ଷ ମୋଗଲ ଗାର୍ଡେନରେ ଲୋକେ ଟ୍ୟୁଲିପ୍‌, ମୋଗ୍ରା-ମୋତିଆ, ରଜନୀଗନ୍ଧା, ବେଲା, ରାତ୍‌ କି ରାନୀ, ଜୁଇ, ଚମ୍ପା-ଜସ୍ମିନ ସହିତ ଅନ୍ୟାନ୍ୟ ବିଭିନ୍ନ ପ୍ରକାରର ଫୁଲ ଦେଖିପାରିବେ।

Share