ଯୁଦ୍ଧରେ ପ୍ରାଣ ହରାଇଲେଣି ୩ହଜାରରୁ ଅଧିକ ସେନା, ୧୦ ହଜାର ଆହତ: ଜେଲେନ୍‌ସ୍କି

କ୍ୱିଭ,୧୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୨ ଦିନ ହୋଇଗଲାଣି । ଏହାପରେ ବି ଦୁଇଦେଶ ପକ୍ଷରୁ ଯୁଦ୍ଧ ବିରାମର କୌଣସି ସୂଚନା ମିଳିପାରୁ ନାହିଁ । ଏହାରି ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆହୁରି ଆକ୍ରମକ ହୋଇଯାଉଛନ୍ତି । ୟୁକ୍ରେନକୁ ସହାୟତା କରୁଥିବା ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାକୁ ବି ପୁଟିନ ଚେତାବନୀ ଦେଇ ସାରିଲେଣି । ଏହାରି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନ୍‌ସ୍କି କହିଛନ୍ତି ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନର ବହୁ କ୍ଷତି ହେଲାଣି । ଦେଶର ୩୦୦୦ରୁ ଅଧିକ ସେନାଙ୍କ ମୃତ୍ୟୁ ହେବା ସହ ୧୦ହଜାରରୁ ଅଧିକ ଆହତ ହୋଇଛନ୍ତି । ଏପଟେ ମୌରିଉପୋଲରେ ହଜାର ହଜାର ନାଗରିକଙ୍କୁ ରୁଷିଆ ସେନା ମାରି ଦେଇଥିବା ଖବର ରହିଛି ।
ଅନ୍ୟପଟେ ଆମେରିକାକୁ ଚେତାବନୀ ଦେଇ ରୁଷିଆ କହିଛି ଆମେରିକା ୟୁକ୍ରେନକୁ ଯେଉଁ ଘାତକ ଅସ୍ତ୍ର ଯୋଗାଇ ଦେଉଛି ଆଗକୁ ଯଦି ଏହା ଜାରି ରହିଲା ତେବେ ଏହାର ଭୟଙ୍କର ପରିଣତି ଭୋଗିବାକୁ ପଡିବ । ରୁଷିଆ କହିଛି ଆମେରିକାର ସେନା ସହାୟତା ଘାତକ ପରିସ୍ଥିତି ସୃଷ୍ଟି କରିପାରେ । ୱାଶିଂଟନ ପୋଷ୍ଟ ଅନୁଯାୟୀ, ରୁଷିଆ ପକ୍ଷରୁ ଔପଚାରିକ ପତ୍ର ପଠାଯାଇ ଏହା କୁହାଯାଇଛି ।

Share