ପ୍ରାକୃତିକ ଗ୍ୟାସ୍‌ ଚାହୁଁଥିଲେ କଟକଣା ହଟାଅ: ପୁଟିନ୍‌

ମସ୍କୋ,୧୮ା୯: ପ୍ରାକୃତିକ ଗ୍ୟାସ୍‌ ଲାଗି ରୁଷିଆ ଉପରେ ବହୁମାତ୍ରାରେ ନିର୍ଭରଶୀଳ ୟୁରୋପରେ ଏବେ ଶକ୍ତିସଙ୍କଟ ଦେଖାଦେଇଛି। ଆଗକୁ ଶୀତଋତୁ ଆସୁଥିବାରୁ ୟୁରୋପବାସୀଙ୍କ ପାଇଁ ସମସ୍ୟା ବଢ଼ିବା ଆଶଙ୍କା ରହିଛି। ୟୁକ୍ରେନ୍‌ ଆକ୍ରମଣ ପାଇଁ ୟୁରୋପୀୟ ସଂଘ (ଇୟୁ) ରୁଷିଆରୁ ଗ୍ୟାସ୍‌ ଆମଦାନୀ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌ ଲଗାଇବାକୁ ଯୋଜନା କରୁଥିବାବେଳେ ପ୍ରମୁଖ ପାଇପ୍‌ଲାଇନ୍‌ ନର୍ଡ ଷ୍ଟ୍ରିମ୍‌-୨କୁ ମଧ୍ୟ ବନ୍ଦ କରାଯାଇଛି। ତେବେ ୟୁରୋପରେ ଶକ୍ତିସଙ୍କଟ ପାଇଁ ମସ୍କୋ କିଛି କରିପାରିବ ନାହିଁ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଯଦି ୟୁରୋପ ଗ୍ୟାସ୍‌ ଚାହୁଁଛି ତେବେ ନର୍ଡ ଷ୍ଟ୍ରିମ୍‌-୨ ପାଇପ୍‌ଲାଇନ୍‌ ଉପରେ ଲଗାଇଥିବା କଟକଣା ହଟାଉ ବୋଲି ସେ କହିଛନ୍ତି। ଉଜ୍‌ବେକିସ୍ତାନର ସମରକନ୍ଦରେ ସାଂଘାଇ କୋଅପରେଶନ ଅର୍ଗାନାଇଶେନ(ଏସ୍‌ସିଓ) ଶିଖର ସମ୍ମିଳନୀ ପରେ ପୁଟିନ୍‌ ମିଡିଆରେ ପ୍ରତିକ୍ରିୟା ରଖି କହିଥିଲେ, ୟୁରୋପର ‘ଗ୍ରୀନ୍‌ ଏଜେଣ୍ଡା’ ଏହି ସଙ୍କଟ ପାଇଁ ଦାୟୀ। ତେବେ ରୁଷିଆ ଏହି ଅସୁବିଧାକୁ ଦୂର କରିପାରିବ। ଯଦି ଶକ୍ତିସଙ୍କଟ ବାଧୁଛି ତେବେ ବର୍ଷକୁ ୫୫ ବିଲିୟନ କ୍ୟୁବିକ୍‌ ମିଟର ଗ୍ୟାସ୍‌ ପରିବହନ କ୍ଷମତା ଥିବା ନର୍ଡ ଷ୍ଟ୍ରିମ୍‌-୨ ଉପରୁ ୟୁରୋପ କଟକଣା ହଟାଉ। ଏହା ସେତେ ବି କଷ୍ଟକର କାମ ନୁହେଁ। ପ୍ରାୟ ବର୍ଷେ ତଳେ ବାଲ୍‌ଟିକ୍‌ ସାଗର ଶଯ୍ୟାରେ ନର୍ଡ ଷ୍ଟ୍ରିମ୍‌-୨ ନିର୍ମିତ ହୋଇଥିଲା। ରୁଷିଆର ୟୁକ୍ରେନ୍‌ ଆକ୍ରମଣର ଠିକ୍‌ ପୂର୍ବରୁ ଜର୍ମାନୀ ଏହି ପାଇପ୍‌ଲାଇନ ଯୋଗେ ଗ୍ୟାସ ପରିବହନ ଆଗକୁ ବଢ଼ାଇବା ପଦକ୍ଷେକୁ ବାତିଲ କରିଥିଲା।

Share