ୟୁକ୍ରେନ୍‌ର ନେତୃତ୍ୱ ବଦଳାଇବାକୁ ପରାମର୍ଶ ଦେଲେ ପୁଟିନ

ମସ୍କୋ,୨୬।୨: ଆକ୍ରମଣର ଦ୍ୱିତୀୟ ଦିନରେ ରୁଷିଆ ସେନା ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ପ୍ରବେଶ କରିଛି। ଆମେରିକା, ବ୍ରିଟେନ୍‌ ସମେତ ୟୁରୋପୀୟ ସଂଘ ପକ୍ଷରୁ କଠୋର କଟକଣା ଘୋଷଣା ସତ୍ତ୍ୱେ ଏହା ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିପାରି ନାହିଁ। ରୁଷିଆ ସୈନ୍ୟ ୟୁକ୍ରେନ୍‌ର ଚେନୋବାଇଲ୍‌ ଆଣବିକ ଶକ୍ତି କେନ୍ଦ୍ରକୁ ଦଖଲ କରିବା ସହ କ୍ୱିଭ୍‌ ସମେତ ବିଭିନ୍ନ ସହରରେ ବୋମା ଓ କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। ୟୁକ୍ରେନ୍‌ର ନେତୃତ୍ୱ ବଦଳାଇଦେବାକୁ ଇତିମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ସୈନ୍ୟବାହିନୀକୁ ପରାମର୍ଶ ଦେଇଛନ୍ତି। ୟୁକ୍ରେନ୍‌ ନେତୃତ୍ୱକୁ ପୁଟିନ୍‌ ଆତଙ୍କବାଦୀ, ନିଶାସକ୍ତ ଏବଂ ନାଜିବାଦୀ କହିବା ସହ ସେମାନଙ୍କୁ କ୍ଷମତାରୁ ହଟାଇଦେବାକୁ ପୁଟିନ ଏକ ଟେଲିଭିଜନ ବାର୍ତ୍ତାରେ ଆହ୍ବାନ ଦେଇଛନ୍ତି। ୟୁକ୍ରେନ୍‌ ସେନା ନିଜ ହାତକୁ କ୍ଷମତା ନେଲେ ସେମାନଙ୍କ ସହ ମସ୍କୋର ଭଲ ବୁଝାମଣା ହୋଇପାରିବ ବୋଲି ରୁଷିଆ ରାଷ୍ଟ୍ରପତି କହିଛନ୍ତି।
ରାଜଧାନୀ କ୍ୱିଭ୍‌ ସମେତ ୟୁକ୍ରେନ୍‌ର ଅନ୍ୟାନ୍ୟ ସହରରେ ରୁଷିଆ ସୈନ୍ୟ ତୁହାକୁ ତୁହା ବୋମାମାଡ଼ କରୁଥିବାରୁ ହଜାର ହଜାର ଲୋକ ଭୟରେ ଦେଶ ଛାଡ଼ି ପଳାଉଛନ୍ତି। ସେମାନେ ସୀମା ପାରହୋଇ ପଶ୍ଚିମରେ ଅବସ୍ଥିତ ପୋଲାଣ୍ଡ, ସ୍ଲୋଭାକିଆ, ହଙ୍ଗେରି, ରୋମାନିଆ ଓ ମୋଲଡୋଭାକୁ ଚାଲିଯାଉଛନ୍ତି। ପଡୋଶୀ ରାଷ୍ଟ୍ରଗୁଡ଼ିକ ସେମାନଙ୍କୁ ଖାଦ୍ୟ, ଆଶ୍ରୟ ଯୋଗାଇବା ସହ କୋଭିଡ୍‌ ପରୀକ୍ଷା ଆଦି କଟକଣାକୁ କୋହଳ କରିଦେଇଛନ୍ତି।

Share