Categories: ଜାତୀୟ

ଟିକସ ଫାଙ୍କିବା ପାଇଁ ଅଧା ଆୟ ଚାଇନାକୁ ପଠାଇଛି ଭିଭୋ

ନୂଆଦିଲ୍ଲୀ, ୮ା୭: ଚାଇନା ମୋବାଇଲ ନିର୍ମାତା ଭିଭୋ ବିରୋଧରେ ସାଂଘାତିକ ଆର୍ଥିକ ଅପରାଧ ଅଭିଯୋଗ ଆସିଛି। ଏହି କମ୍ପାନୀ ଭାରତରେ ସ୍ମାର୍ଟଫୋନ୍‌ ବ୍ୟବସାୟରେ ଆୟ କରିଥିବା ମୋଟ ଅର୍ଥର ୫୦% ଅର୍ଥାତ ୬୨,୪୭୬ କୋଟି ଟଙ୍କା ଚାଇନାକୁ ପଠାଇଛି। ଟିକସ ଫାଙ୍କିବା ପାଇଁ ଭିଭୋ ଏପରି କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି। ଜୁଲାଇ ୫ରେ ଇଡି ଅଧିକାରୀମାନେ ଏକ ମନିଲଣ୍ଡରିଂ ମାମଲାରେ ଭିଭୋ ମୋବାଇଲ ଇଣ୍ଡିଆ ପ୍ରାଇଭେଟ ଲି. ଏବଂ ଏହାର ୨୩ ସହଯୋଗୀ କମ୍ପାନୀର ୪୮ଟି ସ୍ଥାନରେ ଚଢ଼ାଉ କରିଥିଲେ। ଭିଭୋ ୬୨,୪୭୬ କୋଟି ଟଙ୍କା ଟିକସ ଫାଙ୍କିଥିବା ଜଣାପଡ଼ିଛି। ଏହାର ପ୍ରମାଣ ନଷ୍ଟ ପାଇଁ ଜାଲ୍‌ ଦସ୍ତାବିଜ୍‌ ବ୍ୟବହାର କରିଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଛି। ଭିଭୋ ଇଣ୍ଡିଆରେ କାର୍ଯ୍ୟରତ କେତେଜଣ ଚାଇନା ନାଗରିକଙ୍କ ସମେତ କର୍ମଚାରୀମାନେ ଚଢ଼ାଉ ବେଳେ ଯାଞ୍ଚରେ ସହଯୋଗ ପରିବର୍ତ୍ତେ ଜବତ ବୈଦ୍ୟୁତିକ ଉପକରଣଗୁଡ଼ିକୁ ଧରି ଫେରାର ହେବାକୁ ଉଦ୍ୟମ କରିଥିଲେ। ଏଥିସହ କମ୍ପାନୀର ୪୬୫ କୋଟି ଟଙ୍କା ଜମା ଥିବା ୧୧୯ ବ୍ୟାଙ୍କ୍‌ ଆକାଉଣ୍ଟକୁ ଇଡ଼ି ପକ୍ଷରୁ ବ୍ଲକ୍‌ କରାଯାଇଛି। ମନିଲଣ୍ଡରିଂ ଓ ଟ୍ୟାକ୍ସ ଠକେଇ କରୁଥିବା ଚାଇନାର ସଂସ୍ଥାଗୁଡ଼ିକ ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବା ବେଳେ ଭାରତର ୧୫% ସ୍ମାର୍ଟଫୋନ୍‌ ଚାହିଦା ପୂରଣ କରୁଥିବା ଏହି କମ୍ପାନୀ ବିରୋଧରେ ଏଭଳି ଅଭିଯୋଗ ଆସିଛି ବୋଲି ଇଡି କହିଛି।

Share