Categories: ଜାତୀୟ

ଭାରତର ସାମର୍ଥ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ବିବେକାନନ୍ଦ

ନୂଆଦିଲ୍ଲୀ,୧୨।୧: ଭାରତର ପ୍ରକୃତ ସାମର୍ଥ୍ୟ ସମ୍ପର୍କରେ ସ୍ବାମୀ ବିବେକାନନ୍ଦ ସୂଚନା ଦେଇଥିଲେ। ତାଙ୍କର ଅମର ବାଣୀ ଦେଶବାସୀଙ୍କୁ ସବୁବେଳେ ପ୍ରେରଣା ଦେଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମଙ୍ଗଳବାର ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଜାତୀୟ ଯୁବ ସଂସଦ ମହୋତ୍ସବରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ମୋଦି ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ ସ୍ବାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ୧୨୮ ବର୍ଷ ତଳେ ୧୮୯୩ ସେପ୍ଟେମ୍ବର ୧୧ରେ ଆମେରିକାର ସିକାଗୋରେ ଆୟୋଜିତ ବିଶ୍ୱ ଧର୍ମ ସମ୍ମିଳନୀରେ ତାଙ୍କର ଅଭିଭାଷଣ ଇତିହାସ ସୃଷ୍ଟି କରିଥିଲା। ବିଶ୍ୱସ୍ତରରେ ଭାରତ ପାଇଁ ସେ ପରିଚିତି ଆଣି ଦେଇଥିଲେ। ଦେଶର ଭବିଷ୍ୟତ ଯୁବଶକ୍ତି ଉପରେ ନିର୍ଭର କରେ। ନିର୍ଭୟ, ବିବେକବାନ, ସାହସୀ ଏବଂ ଅକାଂକ୍ଷୀ ଯୁବବର୍ଗ ନୂଆ ଭାରତର ମୂଳଦୁଆ ପଡ଼ିବ ବୋଲି ବିବେକାନନ୍ଦ କହୁଥିଲେ। ଏହା ଏବେ ସତ୍ୟରେ ପରିଣତ ହୋଇଥିବା ମୋଦି କହିଛନ୍ତି। ସୂଚନାଯୋଗ୍ୟ, ସ୍ବାମୀ ବିବେକାନନ୍ଦ ୧୮୬୩ ଜାନୁୟାରୀ ୧୨ରେ କୋଲକାତାଠାରେ ଜନ୍ମଗ୍ରହଣ କରିଥିଲେ। ୧୯୦୨ ଜୁଲାଇ ୪ରେ ହାଓ୍ବାଡ଼ାସ୍ଥିତ ବେଲୁର ମଠଠାରେ ସେ ଦେହତ୍ୟାଗ କରିଥିଲେ।

Share