ଇମ୍ରାନଙ୍କ ଉପରେ ଅଭିଯୋଗ ଆଣିଲେ ବିବେକ, କହିଲେ ‘କଶ୍ମିର ଫାଇଲ୍ସ’ର ଗୀତକୁ ବେଆଇନ ଭାବେ ବ୍ୟବହାର କରିଛନ୍ତି

ମୁମ୍ବାଇ,୧୨।୫:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁରୁବାର ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା। ତେବେ ଇମ୍ରାନ ଗିରଫ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କୁ କିଛି ସୁରକ୍ଷା ଦଳ କାର୍‌ରେ ନେଇଯାଉଥିବାର ଦେଖାଯାଇଥିଲା। ଏହି ଭିଡିଓଟି ଇମ୍ରାନଖାନ୍‌ ପିଟିଆଇ ଅଫିସିଆଲ ଇନଷ୍ଟା ଆକାଉଣ୍ଟରୁ ସେୟାର୍‌ କରାଯାଇଛି। ଭିଡିଓଟିରେ ‘ହମ୍‌ ଦେଖେଙ୍ଗେ’ ଅଡିଓ ବ୍ୟବହାର କରାଯାଇଥିଲା। ଯାହାକି ଗତବର୍ଷ ଚର୍ଚ୍ଚିତ ବଲିଉଡ ଫିଲ୍ମ ‘କଶ୍ମୀର ଫାଇଲ୍ସ’ରେ ବ୍ୟବହୃତ ଫେଜ୍‌ ଅହମ୍ମଦ ଫେଜ୍‌ଙ୍କ ପ୍ରସିଦ୍ଧ କବିତାର ସଂସ୍କରଣ ଥିଲା। ଇମ୍ରାନ ଖାନ୍‌ ତାଙ୍କ ଟୁଇଟର ଆକାଉଣ୍ଟରେ ମଧ୍ୟ ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ସ୍ବପ୍ନିଲ ବାନ୍ଦୋଦକର, ପଲ୍ଲବିି ଯୋଶୀ, ଶାଜାଦ ଅଲି, ସଲମାନ ଅଲି, ମେଘନା ମିଶ୍ର ଇତ୍ୟାଦିଙ୍କୁ ଶ୍ରେୟ ଦେଇଛନ୍ତି।

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜ ଟୁଇଟର ଆକାଉଣ୍ଟରେ ଭିଡିଓ ସେୟାର କରି କହିଛନ୍ତି ଯେ, ଭାରତୀୟ ସିନେମାର ଶକ୍ତି ଦେଖନ୍ତୁ। ଇମ୍ରାନ ଖାନଙ୍କ ପାର୍ଟିର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର ହୋଇଥିବା ଏହି ଭିଡିଓରେ ‘କାଶ୍ମୀର ଫାଇଲ୍ସ’ର ଅଫିସିଆଲ ଗୀତକୁ ବେଆଇନ ଭାବେ ବ୍ୟବହାର କରିଛନ୍ତିି। ଏହି ପ୍ରସିଦ୍ଧ ଗୀତ ଫେଜ୍‌ ଅହମ୍ମଦ ଫେଜ୍‌ ଲେଖିଛନ୍ତି। ଆମେ ଏହାକୁ ନିଜ ଫିଲ୍ମରେ ବ୍ୟବହାର କରିବାକୁ ଅନୁମତି ଆଣିଥିଲୁ। ଏହି ଗୀତର ବହୁତ ଗୁଡିଏ ଭର୍ସନ ଅଛି। ଏହା ଆମର ଆଇନଗତ କପିରାଇଟ୍‌ ଭର୍ସନ।

Share