Categories: ବାଣିଜ୍ୟ

ଭିଆଇଟିର ଭିଟି ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶିତ

ନୂଆଦିଲ୍ଲୀ,୨୯।୪: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି) ଦ୍ୱାରା ପରିଚାଳିତ ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା(ଭିଟି) ର ଫଳାଫଳ ନିକଟରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଏପ୍ରିଲ ୧୭ରୁ ୨୩ ପର୍ଯ୍ୟନ୍ତ ଭାରତର ୧୨୧ ସହର ଏବଂ ବିଦେଶର ୪ଟି ସହର (ଦୁବାଇ, କୁଏଟ୍‌, ମସ୍କାଟ ଏବଂ କାତାର)ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷାର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରବେଶିକ ଫଳାଫଳ https://ugresults.vit.ac.in/viteee ପୋର୍ଟାଲରେ ପ୍ରକାଶିତ ହୋଇଛି, ଯାହାକି VIT ୱେବ୍‌ସାଇଟ୍‌ www.vit.ac.in ରେ ସବିଶେଷ ଉପଲବ୍ଧ ରହିଛି। ଉକ୍ତ ଫଳାଫଳ ଅନୁଯାୟୀ ଝାଡ଼ଖଣ୍ଡର କୁଶାଗ୍ର ବଶିଷ୍ଟ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମହାରାଷ୍ଟ୍ରର ପ୍ରକାଶଲ ଶ୍ରୀନିବାସ ଚୌଧାରୀ ୨ୟ ସ୍ଥାନ ଏବଂ ମାହିନ୍‌ ପ୍ରମୋଦ ଧୋକେ ୩ୟ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି କେରଳର ଆଶିକ୍‌ ଷ୍ଟେନି ୪ର୍ଥ, ବିହାରର ଅଙ୍କିତ କୁମାର ୫ମ, ଆନ୍ଧ୍ରପ୍ରଦେଶର ନନ୍ଦୟାଲା ପ୍ରିନ୍ସ ବ୍ରାନହମ୍‌ ରେଡ୍ଡୀ ୬ଷ୍ଠ, ବିହାରର ଏମ୍‌ଡି ଉମର ଫୈସଲ ୭ମ, ମହାରାଷ୍ଟ୍ରର ଅନ୍‌ସୁଲ ସନ୍ଦୀପ ନାଫାଡେ ୮ମ, ହରିୟାଣାର ରଷିତ ଗୁପ୍ତା ୯ମ ଏବଂ ଉତ୍ତରପ୍ରଦେଶର ତନ୍ମୟ ବାଗେଲ ୧୦ମ ସ୍ଥାନରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଭିଆଇଟିର କାଉନସେଲିଂ ୨୦୨୩ ଏପ୍ରିଲ ୨୬ ରୁ ଜୁନ୍‌୧୪ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ, ଭିଆଇଟି ର଼୍ୟାଙ୍କ୍‌ଧାରୀ କାଉନସେଲିଂ ପାଇଁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଗ୍ରହଣ କରାଯାଇଛି। ବିଶେଷକରି ୧-୨୦,୦୦୦ ର଼୍ୟାଙ୍କ୍‌ଧାରୀଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ୨୬ ରୁ ୩୦ ଏପ୍ରିଲ ଏବଂ ୨ ପର୍ଯ୍ୟାୟ କାଉନସେଲିଂ ୨୦,୦୦୧-୪୫,୦୦୦ ର଼୍ୟାଙ୍କ ପାଇଁ ମେ’ ୯ରୁ ୧୧ ପର୍ଯ୍ୟନ୍ତ ରହିଛି। ସେହିଭଳି ୪୫,୦୦୧-୭୦,୦୦୦ ର଼୍ୟାଙ୍କ ପାଇଁ ୩ୟ ପର୍ଯ୍ୟାୟ ସହ ମେ’ ୨୦ରୁ ୨୨ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି।

Share