Categories: ଭଦ୍ରକ

କେନ୍ଦ୍ରୀୟ ଟିମ୍‌ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ଭଦ୍ରକ ଅଫିସ, ୧୭ା୯- ବୁଧବାର କେନ୍ଦ୍ର ସରକାରଙ୍କ ଏକ ଚାରି ଜଣିଆ ଟିମ୍‌ ଭଦ୍ରକ ଜିଲା ଗସ୍ତ କରିଥିଲେ। ଏହି ଟିମ୍‌ ବନ୍ୟା କ୍ଷୟକ୍ଷତିର ଆକଳନ ଓ ଜିଲା ପ୍ରଶାସନ ସହ ଆଲୋଚନା କରି ଯାଜପୁର ଯାଇଥିଲେ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀନ ବଶିଷ୍ଟଙ୍କ ନେତୃତ୍ୱରେ ଏହି ୪ ଜଣିଆ ଟିମ୍‌ରେ ଯୁଗଳ କୁମାର ଶତପଥୀ, କୃଷି ନିର୍ଦ୍ଦେଶକ ଏମ୍‌. ମୁଥୁ କୁମାର, ଅମରେଶ ପାଲ ସିଂ ସାମିଲ ଥିଲେ। ଜିଲା ପ୍ରଶାସନର ସମସ୍ତ ଅଧିକାରୀଙ୍କ ସହ ଧାମନଗର ବ୍ଲକର ବୟାଙ୍ଗଡିହୀ, କୋଠାର ଅଞ୍ଚଳ ପରିଦର୍ଶନ କରି ଲଘୁଚାପ ଜନିତ ବର୍ଷା କାରଣରୁ ବର୍ଷା ପାଣି ଧାନ ଫସଲ ଉପରେ କେତେ ଦିନ ଜମି ରହି ଧାନ କିଭଳି କ୍ଷୟକ୍ଷତି ହୋଇଛି ତାହା ବୁଲି ଦେଖିଥିଲେ। କିଛି ଚାଷୀଙ୍କ ସହ ଏହି ଅନୁଧ୍ୟାନକାରୀ ଟିମ୍‌ ଆଲୋଚନା କରିଥିଲେ। ସେହିଭଳି ଫତେପୁର ନେଞ୍ଜରା ଗାଁରେ କିଭଳି ବର୍ଷା କାରଣରୁ ଘର ଭାଙ୍ଗି ଭୁଇଁରେ ଲୋଟି ପଡ଼ିଛି ତାହା ଦେଖିଥିଲେ। ପରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ଓ ଜିଲାସ୍ତରୀୟ ଅଧିକାରୀ ମାନଙ୍କ ସହ ସ୍ଥାନୀୟ ପାନ୍ଥଶାଳା ସଭାଗୃହରେ କେଉଁ ବିଭାଗରୁ କେତେ ପରିମାଣର କ୍ଷତି ହୋଇଛି ସେନେଇ ଆଲୋଚନା ଓ ସମୀକ୍ଷା କରିଥିଲେ।