ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ଅମରପାଲି,୪ା୮(ପୀତାମ୍ବର ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ବୀରମହାରାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଅନେକ ଗରିବ ଲୋକଙ୍କ କଚ୍ଚା ଘର ଭାଙ୍ଗି ଯାଇଛି। ରାସ୍ତା ଘାଟ,ପୋଲ ଭାଙ୍ଗି ଯାଇଛି। ଅନେକ ସ୍ଥାନରେ ଯାତାୟାତରେ ବାଧାପ୍ରାପ୍ତ ଦେଖାଦେଇଛି। ସମ୍ପ୍ରତି ପରିସ୍ଥିତିରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ବନ୍ୟା ପରିସ୍ଥିତି ଆରମ୍ଭରୁ ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସବୁଠୁ ବେଶୀ ପ୍ରଭାବିତ ହୋଇଥିବା ମୁର୍ଷୁଣ୍ଢି ନିକଟସ୍ଥ ହରିହର ଯୋର ପୋଲ ଅଞ୍ଚଳ, ତେନ୍ତୁଳିମହଦା, କୁଡ଼ାପଡ଼l, ଦୁହୁଲପାଲି, ଗୋବିନ୍ଦପୁର, ଦୁରଦୁରା, ଗରିଆମୁଣ୍ଡା, ସୁବଳୟା, ଫୁଲଚରା, କେନ୍ଦୁପାଲି, କମଲପୁର, କୃଷ୍ଣପାଲି ସମେତ ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ କରିଛନ୍ତି।ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ହେକ୍ଟର ହେକ୍ଟର ଚାଷଜମି ବାଲିଚର ହୋଇ ବ୍ୟାପକ ଧାନ ଓ କପା ନଷ୍ଟ ହୋଇଥିବା ଚାଷୀଙ୍କୁ ଭେଟି କିଭଳି କ୍ଷତିପୂରଣ ପାଇଁ ପାରିବେ ସେନେଇ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ତୁରନ୍ତ କ୍ଷୟକ୍ଷତିର ଆକଳନ ର ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ଉପାଧ୍ୟକ୍ଷଙ୍କ ସହିତ ବିଭିନ୍ନ ଯୁବକ ସଂଘର ସଦସ୍ୟ ଓ ଅନେକ ସ୍ବେଚ୍ଛାସେବୀ ଓ ଅନେକ ଜନପ୍ରତିନିଧି ସାମିଲ ହୋଇ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଖୁବଶୀଘ୍ର କ୍ଷୟକ୍ଷତି ଆକଳନ କରି ବନ୍ୟା ପ୍ରଭାବିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରକାଶ କରିଛନ୍ତି।