ଦେବଗଡ,୧୯।୪(ଶଶାଙ୍କ ଶେଖର ଝାଙ୍କର): ଜଙ୍ଗଲୀ ଦନ୍ତାହାତୀ ରିଆମାଳ ବନାଂଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜଳଗହଳିପୂର୍ଣ୍ଣ ସଙ୍ଘାପୋଶି ଗ୍ରାମରେ ପଶି ଆତଙ୍କରାଜ ଚଲାଇବାସହ ଏକ ଘର ଭାଙ୍ଗି ତହିଁରୁ ଚାଉଳ ଖାଇ ଦେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶନିବାର ସଂଧ୍ୟା ପ୍ରାୟ ୫ଟା ସମୟରେ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଏକ ଦନ୍ତାହାତୀ ସଙ୍ଘାପୋଶି ଗ୍ରାମକୁ ପଶି ଆସିଥିଲା । ହାତୀଟିକୁ ଦେଖି ଗ୍ରାମବାସୀ ମାନେ ଭୟଭୀତ ହୋଇପଡିଥିବା ବେଳେ ହାତୀଟି ନିଶ୍ଚିନ୍ତରେ ଗାଁ ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଘୁରି ବୁଲିଥିଲା । ଗ୍ରାମବାସୀ ମାନେ ମିଳିତ ହୋଇ ହାତୀଟିକୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ହାତୀଟି ଉକ୍ତ ଗ୍ରାମର ରଜନୀ ନାୟକଙ୍କ ଘର ଭାଙ୍ଗି ଘର ଭିତରୁ ଏକ ଚାଉଳ ବସ୍ତା ଟାଣି ଆଣି ଖାଇଦେଇଥିଲା ।ତେବେ କିଛି ସମୟ ପରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ବନ ବିଭାଗ କର୍ମଚାରୀ ମାନେ ଗ୍ରାମବାସୀଙ୍କ ସହାୟତାରେ ହାତୀଟିକୁ ଜଙ୍ଗଲକୁ ଘଉଡାଇବାରେ ସଫଳ ହୋଇଥିଲେ ।