କୀର୍ତ୍ତନ କଲେ ବିରୁଷ୍କା: ଟ୍ରେଣ୍ଡ୍‌ରେ ୧୩ ସେକେଣ୍ଡର ଭିଡିଓ ସୋସିଆଲ, ଦେଖନ୍ତୁ VIDEO

ମୁମ୍ବାଇ,୨୬।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲି ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଚର୍ଚ୍ଚାରେ। ମୁମ୍ବାଇରେ ଆୟୋଜିତ କୃଷ୍ଣ ଦାସଙ୍କ କୀର୍ତ୍ତନ କାର୍ଯ୍ୟକ୍ରମରେ ଉଭୟ ଯୋଗ ଦେଇଥିଲେ। ଏହି ସମୟରେ ଅନୁଷ୍କା ତାଳି ମାରି ଭକ୍ତିଗୀତ ଗାଉଥିବା ବେଳେ ବିରାଟ ମଧ୍ୟ କୀର୍ତ୍ତନରେ ସାମିଲ ହୋଇଥିଲେ। ଏହାର ୧୩ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଅନୁଷ୍କାଙ୍କୁ ଭକ୍ତିମୟ ପରିବେଶରେ ତାଳି ମାରିବା ସହ ମନ୍ତ୍ର ଗାନ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବିରାଟ ପ୍ରଥମେ କିଛି ସମୟ କ୍ୟାମେରା ଆଡ଼କୁ ଦେଖିବା ପରେ ପୁଣି ଭକ୍ତି ସଙ୍ଗୀତରେ ନିଜକୁ ସାମିଲ କରିଥିଲେ। କୀର୍ତ୍ତନରେ ଯୋଗ ଦେବା ପୂର୍ବରୁ ଉଭୟ ମୁମ୍ବାଇର ପ୍ରସିଦ୍ଧ ଗେଟେୱ ଅଫ ଇଣ୍ଡିଆ ମଧ୍ୟ ଯାଇଥିଲେ। କୃଷ୍ଣ ଦାସଙ୍କ ଭାରତ ଗସ୍ତର ଅଂଶ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିରାଟ ଓ ଅନୁଷ୍କାଙ୍କ ପାଇଁ କୃଷ୍ଣ ଦାସଙ୍କ କୀର୍ତ୍ତନ ନୂଆ ନୁହେଁ। ଏହା ପୂର୍ବରୁ ଜୁଲାଇ ୨୦୨୬ରେ ଲଣ୍ଡନର ୟୁନିଅନ ଚାପେଲ୍‌ରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ମଧ୍ୟ ଉଭୟ ଯୋଗ ଦେଇଥିଲେ। ବିରାଟ ଓ ଅନୁଷ୍କାଙ୍କୁ ଭାରତ ଓ ବିଦେଶର ବିଭିନ୍ନ ଆଧ୍ୟାତ୍ମିକ ସ୍ଥାନ ପରିଦର୍ଶନ କରିବା ସହ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଦେଖିବାକୁ ମିଳିଛି।
ବିରାଟ କୋହଲି ଓ ଅନୁଷ୍କା ଶର୍ମା ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଭକ୍ତ। ଉଭୟ ଅନେକ ଥର ବୃନ୍ଦାବନ ଯାଇ ତାଙ୍କର ଦର୍ଶନ କରିଛନ୍ତି। ଗତ ଜୁଲାଇ ୨୨ ତାରିଖରେ ଗୁରୁ ପୂର୍ଣ୍ଣିମା ପୂର୍ବରୁ ଉଭୟ ନୂଆ ଆଶ୍ରମ ‘ଯମୁନା ବିହାର କୁଞ୍ଜ’ରେ ପହଞ୍ଚିଥିଲେ। ସେହି ସମୟରେ ଉଭୟ ମୁହଁରେ ମାସ୍କ ପିନ୍ଧି ଖାଲି ପାଦରେ ଆଶ୍ରମ ଭିତରକୁ ଯାଇଥିଲେ। ବର୍ଷା ଯୋଗୁ ରାସ୍ତାରେ କାଦୁଅ ହୋଇଥିବା ବେଳେ ବିରାଟ ଅନୁଷ୍କାଙ୍କ ହାତ ଧରି ଚାଲୁଥିବାର ଦୃଶ୍ୟ ମଧ୍ୟ ଚର୍ଚ୍ଚାକୁ ଆସିଥିଲା।
କ୍ରିକେଟ ମଇଦାନରେ ମଧ୍ୟ ବିରାଟ କୋହଲିଙ୍କୁ ଦେଖିବା ପାଇଁ ପ୍ରଶଂସକ ଅପେକ୍ଷା କରିଛନ୍ତି। ଆସନ୍ତା ନଭେମ୍ବର ୪ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ବିରାଟ ଖେଳିବେ। ସେ ବର୍ତ୍ତମାନ କେବଳ ଦିନିକିଆ କ୍ରିକେଟ ଖେଳୁଛନ୍ତି। ସେ ଟି-୨୦ ଓ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି।

Dharitri – Odisha’s No.1 Odia Daily

 

Share