ସମସ୍ତ ତହସିଲରେ ଭର୍ଚୁଆଲ କୋର୍ଟ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଗତ ୪ ବର୍ଷରେ କରାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ୨୦୧୯ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ବସୁନ୍ଧରା ଯୋଜନାରେ ପ୍ରଦାନ କରାଯାଉଥିବା ପଟ୍ଟାକୁ ଉଭୟ ସ୍ତ୍ରୀ ଏବଂ ସ୍ବାମୀଙ୍କ ନାମରେ ରେକର୍ଡ କରାଯାଉଛି। ୩୨,୩୯୬ ପରିବାର ବସୁନ୍ଧରା ଯୋଜନାରେ ସାମିଲ ହୋଇଛନ୍ତି। ସେହିପରି ମହିଳାମାନଙ୍କୁ ଷ୍ଟାମ୍ପଦେୟ ଉପରେ ୧ ପ୍ରତିଶତ ରିହାତି ଦିଆଯାଇଛି। ଏଥିସହିତ ୫-ଟି ରୂପାନ୍ତରଣ କାର୍ଯ୍ୟଗୁଡ଼ିକ ମଧ୍ୟରୁ ବିଭାଗର ୩୪ ସେବା ଅନ୍‌ଲାଇନ ମାଧ୍ୟମରେ ଉପଲବ୍ଧ ହେଉଛି। ନାଗରିକମାନେ ଅନ୍‌ଲାଇନରେ ପୁରୁଣା ପଞ୍ଜୀକୃତ ଦଲିଲର ଦାଖଲ ଖାରଜ, ଚାଷଜମି କିସମର ଘରବାଡ଼ିକୁ ପରିବର୍ତ୍ତନ ଏବଂ ଆପୋସ ବୁଝାମଣାରେ ଜମି ବିଭାଜନ ମାମଲା ପାଇଁ ଆବେଦନ କରିପାରୁଛନ୍ତି। ୨୦୧୯ରୁ ପ୍ରାୟ ୩,୯୦,୦୦୦ ପଟ୍ଟା ୭ଦିନ ମଧ୍ୟରେ ଓ ୫୫,୦୦୦ ପଟ୍ଟା ଗୋଟିଏ ଦିନରେ ସଂଶୋଧନ କରାଯାଇ ସ୍ପିଡ୍‌ ପୋଷ୍ଟ କିମ୍ବା ରାଜସ୍ବ ରଥ ମାଧ୍ୟମରେ ଆବେଦନକାରୀଙ୍କ ନିକଟକୁ ପଠାଯାଇଛି। ବିଭାଗ ତରଫରୁ ପ୍ରତ୍ୟେକ ମାସରେ କ୍ୟାମ୍ପ କୋର୍ଟ ମାଧ୍ୟମରେ ଆପୋସ ବୁଝାମଣାରେ ଜମି ବିଭାଜନ ଏବଂ ପ୍ରଜାଖାନା ସଂଶୋଧନ ନିମନ୍ତେ ୧୦୦ଟି ମାମଲା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ବ ବିଭାଗ ତରଫରୁ ସମସ୍ତ ତହସିଲରେ ଭର୍ଚୁଆଲ କୋର୍ଟ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ପ୍ରାୟ ୧୧,୧୮୩ ମାମଲା ଫଇସଲା ହୋଇପାରିଛି। ୨୦୧୯ରୁ ଲୋକମାନେ ଅନ୍‌ଲାଇନରେ ଜମି ଖଜଣା, ସେସ୍‌ ଏବଂ ଜଳକର ଦେଇ ପାରୁଛନ୍ତି। ବସୁନ୍ଧରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ବାର୍ଷିକ ଆୟର ମାନଦଣ୍ଡକୁ ୬୦,୦୦୦ ଟଙ୍କାରୁ ୧,୦୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୯୦୨ ପଡା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ପରିବେଶର ସୁରକ୍ଷା ନିମନ୍ତେ ରାଜସ୍ବ ବିଭାଗ ପ୍ରାୟ ୩୫,୦୦୦ ଏକର ଜମି କ୍ଷତିପୂରକ ବନୀକରଣ ପାଇଁ ସଂରକ୍ଷିତ ରଖିଛି ବୋଲିି ମନ୍ତ୍ରୀ କହିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଗତ ୪ ବର୍ଷ ମଧ୍ୟରେ ନୂତନ ଭାବେ ୩୧୭ ଓଏଏସ୍‌ ଏବଂ ୧୧୦ ଓଆରଏସ୍‌, ୧୧୦୩ ଆରଆଇ, ୮୮୫ ଏଆରଆଇ ଏବଂ ୫୩୮ ଅମିନ ପଦବୀ ସୃଷ୍ଟି କରାଯାଇଛି। ଏହି ଅବଧି ମଧ୍ୟରେ ୯୯୯୧୨ ଓଏଏସ୍‌, ୬୪୫ ଓଆରଏସ୍‌, ୯୨୦ ଜେଆରଏସ୍‌, ୫୮୬ ଆର୍‌ଆଇ, ୫୭୬ ଏଆରଆଇ ଏବଂ ୫୩୮ ଅମିନଙ୍କୁ ନିଯୁକ୍ତି ଦିଆଯାଇଛି। ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠିତ ହୋଇଛି। ଏହି ଟାସ୍କଫୋର୍ସ ବିଭିନ୍ନ ସମସ୍ୟାର ବିଶ୍ଳେଷଣ କରି ପର୍ଯ୍ୟାୟ କ୍ରମେ ପ୍ରସ୍ତାବମାନ ଦେଇଛି। ଚକବନ୍ଦୀ ଅଧିନିୟମ, ୧୯୭୨ ଧାରା ୩୪କୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ଏବଂ ଆଇନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଗ୍ରାମକଣ୍ଠ ପରମ୍ବୋକ, ନଜୁଲ, ଆବାଦୀ, ଖାସମାହାଲ ଜମିର ବନ୍ଦୋବସ୍ତ ପାଇଁ ଉଦ୍ଦିଷ୍ଟ ସଲାମିକୁ ୨୦ରୁ ୦୨ ପ୍ରତିଶତକୁ କମାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି।