ଢେଙ୍କାନାଳରେ ପୁଣି କୁମାରୀ ମା’

ଢେଙ୍କାନାଳ ଅଫିସ, ୧୬।୧: ଢେଙ୍କାନାଳ ଜିଲା ପୁଣି ବୋହିଛି କୁମାରୀ ମା’ର କଳଙ୍କ। ଭୁବନ ପରେ କାମାକ୍ଷାନଗର ଥାନା ଅଞ୍ଚଳରେ ଏହାର ପୁନରାବୃତ୍ତି ଘଟିଛି। ଜଣେ ୧୭ ବର୍ଷୀୟା ନାବାଳିକା ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅନ୍ତଃସତ୍ତ୍ୱା କରିଥିବା ଯୁବକ ଫେରାର ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ କାମାକ୍ଷାନଗର ଥାନାରେ ଗତ ୩୧ ତାରିଖରେ ମାମଲା (ନଂ.୪୩୧/୨୦) ରୁଜୁ ହୋଇଥିଲା। ଏଯାଏ ଅଭିଯୁକ୍ତ ଗିରଫ ହୋଇ ନ ଥିବାରୁ ପୀଡ଼ିତାଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନାବାଳିକାଙ୍କୁ ନ୍ୟାୟ ଦେବାକୁ ସେମାନେ ଦାବି କରିଛନ୍ତି। ଜନ୍ମିତ ସନ୍ତାନର ଓଜନ ୩ କେଜି। ମା’ ଏବଂ ଛୁଆ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଏଥିପୂର୍ବରୁ ଗତ ୬ ତାରିଖ ରାତିରେ ଭୁବନ ଥାନା ଅଞ୍ଚଳର ଜଣେ ୨୫ ବର୍ଷୀୟା ଅବିବାହିତା ଯୁବତୀ ଶୌଚାଳୟରେ ସନ୍ତାନ ପ୍ରସବ କରିଥିଲେ।