ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍ରେ ସେ ପ୍ରଥମଥର ପାଇଁ ଭାରତ ଅଣ୍ଡର-୧୯ ଜର୍ସିରେ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଡେବ୍ୟୁ ମ୍ୟାଚ୍ରେ ଆର୍ଯ୍ୟବୀର ବଡ଼ ଇନିଂସ ଖେଳିପାରିନାହାନ୍ତି।
ଆର୍ଯ୍ୟବୀର ୨୬ଟି ବଲ୍ରେ ୨୮ ରନ କରି ପାଭିଲିୟନ ଫେରିଥିଲେ। ତାଙ୍କ ଇନିଂସରେ ୫ଟି ଚୌକା ରହିଥିଲା। ବର୍ଷା ଯୋଗୁ ୫୦ ଓଭରର ମ୍ୟାଚ୍କୁ ୨୦ ଓଭରକୁ କମାଇ ଦିଆଯାଇଥିଲା। ତେଣୁ ଭାରତୀୟ ଓପନରଙ୍କ ଉପରେ ଆରମ୍ଭରୁ ଦ୍ରୁତ ରନ କରିବାର ଚାପ ଥିଲା।
ଆର୍ଯ୍ୟବୀରଙ୍କ ଅଣ୍ଡର-୧୯ ଡେବ୍ୟୁ ନିଜ ଆଖିରେ ଦେଖିବା ପାଇଁ ତାଙ୍କ ବାପା ତଥା ଭାରତର ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ମଧ୍ୟ ନିରଞ୍ଜନ ଶାହ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଷ୍ଟାଣ୍ଡରେ ବସି ପୁଅଙ୍କୁ ଭାରତ ଅଣ୍ଡର-୧୯ ଜର୍ସିରେ ଖେଳୁଥିବା ଦେଖୁଥିବା ସେହ୍ବାଗଙ୍କ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାକୁ ଆସିଛି।
ଆର୍ଯ୍ୟବୀର ଏହା ପୂର୍ବରୁ ଘରୋଇ କ୍ରିକେଟ୍ରେ ମଧ୍ୟ ବ୍ୟାଟିଂ ଦ୍ୱାରା ନିଜ ପ୍ରତିଭାର ଝଲକ ଦେଖାଇଛନ୍ତି। ଆର୍ଯ୍ୟବୀର ବଡ଼ ସ୍କୋର କରିପାରି ନ ଥିବାବେଳେ ଭାରତୀୟ ଇନିଂସକୁ ଶେଷ ଆଡ଼କୁ ମଜଭୁତ କରିଥିଲେ ରାହୁଲ ଦ୍ରାବିଡଙ୍କ ସାନ ପୁଅ ଅନଭୟ ଦ୍ରାବିଡ।
୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅନଭୟ ମାତ୍ର ୧୮ଟି ବଲ୍ରୁ ୩୮ ରନ୍ରେ ଦ୍ରୁତ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୨ଟି ଚୌକା ଓ ୩ଟି ଛକା ରହିଥିଲା। ଭାରତ ୮୮ ରନ୍ରେ ୪ଟି ଉଇକେଟ ହରାଇଥିବା ସମୟରେ ଅନଭୟଙ୍କ ଏହି ଦ୍ରୁତ ଇନିଂସ ଦଳକୁ ୧୫୦ ରନ ପାର କରାଇବାରେ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା।
ଭାରତ ଅଣ୍ଡର-୧୯ ୨୦ ଓଭରରେ ୬ ଉଇକେଟ ହରାଇ ୧୮୨ ରନ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୧୭୫ ରନ କରିପାରିଥିଲା। ଫଳରେ ଭାରତ ୭ ରନ୍ରେ ମ୍ୟାଚ ଜିତିଥିଲା।
ଭାରତର ବିଜୟରେ ଯଶବର୍ଦ୍ଧନ ଚୌହାନଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେ ବ୍ୟାଟିଂରେ ୫୪ ରନ କରିବା ସହ ବୋଲିଂରେ ୨ଟି ଉଇକେଟ ନେଇଥିଲେ।