ନୂଆଦିଲ୍ଲୀ,୧୬।୧୦: ଭାରତର ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ନିଜ ବ୍ୟାଟିଂକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ବିନୁ ମଙ୍କଡ ଟ୍ରଫିର ଏକ ଏଲିଟ ମ୍ୟାଚ୍ରେ ଚଣ୍ଡିଗଡ଼ U-୧୯ ଦଳ ବିପକ୍ଷରେ ସେ ୧୪୩ଟି ବଲ୍ରୁ ୧୭୩ ରନ୍ ଦମ୍ଦାର ଇନିଂସ ଖେଳିଛନ୍ତି। ତାଙ୍କ ଏହି ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଦିଲ୍ଲୀ U-୧୯ ଦଳ ୫୦ ଓଭରରେ ୬ ଉଇକେଟ ହରାଇ ୨୮୯ ରନ ସଂଗ୍ରହ କରିଛି। ଆର୍ଯ୍ୟବୀର ଏହି ଟୁର୍ନାମେଣ୍ଟରେ ଦିଲ୍ଲୀ U-୧୯ ଦଳର ଅଧିନାୟକ ମଧ୍ୟ ଅଛନ୍ତି।
ଚଣ୍ଡିଗଡ଼ ବିପକ୍ଷ ମ୍ୟାଚ୍ରେ ଦିଲ୍ଲୀର ଆରମ୍ଭ ଭଲ ରହିଥିଲା। ଆର୍ଯ୍ୟବୀର ଓ ଆର୍ଯ୍ୟନ ବଗ୍ଗା ପ୍ରଥମ ଉଇକେଟ ପାଇଁ ୯୮ ରନ ଯୋଡ଼ିଥିଲେ। ବଗ୍ଗା ୩୯ଟି ବଲ୍ରୁ ୪୭ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ଆର୍ଯ୍ୟବୀର ଚଣ୍ଡିଗଡ଼ ବୋଲରଙ୍କୁ ଚାପରେ ରଖିଥିଲେ। ସେ ୧୪୩ଟି ବଲ୍ର ସାମ୍ନା କରି ୧୭୩ ରନ କରିଥିଲେ। ତାଙ୍କ ଇନିଂସ୍ରେ ଥିଲା ୧୯ଟି ଚୌକା ଓ ୮ଟି ଛକା। ଅର୍ଥାତ୍ କେବଳ ଚୌକାରୁ ସେ ୧୨୪ ରନ ହାସଲ କରିଥିଲେ। ଏହି ପାଳିରେ ତାଙ୍କ ଷ୍ଟ୍ରାଇକ ରେଟ ପ୍ରାୟ ୧୨୧.୦ ରହିଥିଲା।
ଆର୍ଯ୍ୟବୀରଙ୍କ ବ୍ୟତୀତ ଦିଲ୍ଲୀର ଅନ୍ୟ ବ୍ୟାଟରମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଶ୍ରୀହନ ଆହୁଜା ୩ ରନ, ଉଇକେଟ୍କିପର ଅଭିରାଜ ଗଗନ ସିଂହ ୧୮ ରନ ଏବଂ ଉଦୟ ଚାୱଲା ୭ ରନ କରିଥିଲେ।
ଚଣ୍ଡିଗଡ଼ ପକ୍ଷରୁ ରୁପେଶ ଯାଦବ ସବୁଠାରୁ ସଫଳ ବୋଲର୍ ଥିଲେ। ସେ ୧୦ ଓଭରରେ ୪୨ ରନ ଦେଇ ୨ଟି ଉଇକେଟ ନେଇଥିଲେ ଏବଂ ଏଥିରେ ୨ଟି ମେଡେନ ଓଭର ମଧ୍ୟ ସାମିଲ ଥିଲା। ଶ୍ରେଷ୍ଠ ଦୁଗ୍ଗଲ, ଗଗନପ୍ରୀତ ସିଂହ ଓ ଅଭୟ ସିଂହ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।