Categories: ଖେଳ

‘ଇଣ୍ଡିଆନ୍‌ ମହାରାଜ’ର ନେତୃତ୍ୱ ନେବେ ସେହ୍ବାଗ

ମସ୍କାଟ,୧୯।୧: ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ଗୁରୁବାରଠାରୁ କିମ୍ବଦନ୍ତୀ ଲିଗ୍‌ କ୍ରିକେଟ (ଏଲ୍‌ଏଲ୍‌ସିି) ଟି-୨୦ ଟୁର୍ନାମେଣ୍ଟରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଟିମ୍‌ ‘ଇଣ୍ଡିଆନ ମହାରାଜ’ର ନେତୃତ୍ୱ ନେବେ। ସେହିଭଳି ମହମ୍ମଦ କୈଫ୍‌ ଉପ-ଅଧିନାୟକ ଏବଂ ଅଷ୍ଟ୍ରେଲିଆର ବିଶ୍ୱକପ୍‌ ବିଜେତା ପ୍ରଶିକ୍ଷକ ଜନ୍‌ ବୁକାନନ୍‌ କୋଚ୍‌ ଭାବେ କାର୍ଯ୍ୟ କରିବେ।
ପାକିସ୍ତାନର ପୂର୍ବତନ ଅଧିନାୟକ ମିସବା-ଉଲ-ହକ ଏସିଆ ଲାୟନ୍ସ ଦଳର ନେତୃତ୍ୱ ନେବେ। ଏହି ଦଳରେ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନର ଖେଳାଳି ଅନ୍ତର୍ଭୁକ୍ତ। ଏହି ଦଳରେ ଶାହିଦ ଆଫ୍ରିଦି, ଶୋଏବ ଅଖତର, ମହମ୍ମଦ ହାଫିଜ, ଉମର ଗୁଲ, ସନଥ ଜୟସୁରିୟା, ତିଲକରତ୍ନେ ଦିଲଶାନ, ଚାମିଣ୍ଡା ଭାସ ଏବଂ ହବିବୁଲ ବଶରଙ୍କ ଭଳି ଖେଳାଳି ଅଛନ୍ତି।

ଟୁର୍ନାମେଣ୍ଟର ତୃତୀୟ ଦଳ ‘ୱାଲର୍‌ଡ ଜିଆଣ୍ଟସ’ର ନେତୃତ୍ୱ ପୂର୍ବତନ ୱେଷ୍ଟଇଣ୍ଡିଜ ଅଧିନାୟକ ଡାରେନ ସାମି ନେବେ। ଏହି ଦଳରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ ଭେଟୋରି, ଅଷ୍ଟ୍ରେଲିଆର ଦ୍ରୁତ ବୋଲର ବ୍ରେଟ ଲି, ଇଂଲଣ୍ଡର କେଭିନ୍‌ ପିଟରସେନ, ଦକ୍ଷିଣ ଆଫ୍ରିକାର ସ୍ପିନର ଇମ୍ରାନ ତାହିର ପ୍ରମୁଖ ରହିବେ।

ଏଲଏଲ୍‌ସି ଟି -୨୦ ଟୁର୍ନାମେଣ୍ଟକୁ ନେଇ ରବି ଶାସ୍ତ୍ରୀ କହିଛନ୍ତି, ଏହି ଖେଳାଳିମାନେ ଅବସର ନେଇଛନ୍ତି ସତ, ତଥାପି ସେମାନେ କ୍ରିକେଟ ପ୍ରତି ଅତ୍ୟନ୍ତ ଆଗ୍ରହୀ ଅଛନ୍ତି। ଆଗାମୀ ୧୦ ଦିନରେ ସେମାନେ ନିଜ ଦଳ ପାଇଁ ସେମାନଙ୍କର କୌଶଳ ପ୍ରଦର୍ଶନ କରିବେ।

Share