Categories: ଖେଳ

ପୃଥ୍ବୀ ‘ଥ୍ରୀ ଇନ୍‌ ଓ୍ବାନ୍‌’: ସେହ୍ବାଗ

କଲମ୍ବୋ,୧୯।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଓପନର୍‌ ପୃଥ୍ବୀ ଶ’ଙ୍କ ଉଲ୍ଲେଖନୀୟ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ବିସ୍ଫୋରକ ଇନିଂସ ଖେଳିଥିଲେ। ଦୀର୍ଘ ୧୭ ମାସ ପରେ ସେ ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରି ୨୪ ବଲ୍‌ରେ ୯ ଚୌକା ସହାୟତାରେ ୪୩ ରନ୍‌ କରିଥିଲେ। କେବଳ ଚୌକାରୁ ସେ ୩୬ ରନ୍‌ ସଂଗ୍ରହ କରିଥିଲେ। ଏହି ଚମତ୍କାର ବ୍ୟାଟିଂ ପାଇଁ ପୃଥ୍ବୀଙ୍କୁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଚୟନ କରାଯାଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ହେଉଛି। ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ପୃଥ୍ବୀଙ୍କ ଏକ ମଜାଦାର ପୋଷ୍ଟ ଜରିଆରେ ତାଙ୍କ ପ୍ରଶଂସା କରିଛନ୍ତି।

ସେହ୍ବାଗ ନିଜ ଅଫିସିଆଲ୍‌ ଟୁଇଟର ଆକାଉଣ୍ଟରେ ନିଜ ସହ ସଚିନ ତେନ୍ଦୁଲକର ଏବଂ ଓ୍ବେଷ୍ଟଇଣ୍ଡିଜ୍‌ର ପୂର୍ବତନ କିମ୍ବଦନ୍ତୀ ବ୍ରାଏନ ଲାରାଙ୍କ ଏକ ଫଟୋ ଶେୟାର କରିଛନ୍ତି। ସେ ଏହି ଫଟୋ ମାଧ୍ୟମରେ ପୃଥ୍ବୀଙ୍କୁ ୩ଜଣ ଅଭିଜ୍ଞ କ୍ରିକେଟରଙ୍କ ସହ ତୁଳନା କରିଥିଲେ। ଶ’ ‘ଥ୍ରି ଇନ୍‌ ଓ୍ବାନ୍‌’ ବୋଲି ସେ ଦର୍ଶାଇଛନ୍ତି। ତେବେ ସେହ୍ବାଗ କ୍ୟାପ୍‌ଶନରେ ପ୍ରଥମ ୫.୩ ଓଭର ଆମର ଥିଲା ବୋଲି ଲେଖିଛନ୍ତି।

ପ୍ରକାଶ ଯେ, ୨୦୧୮ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପୃଥ୍ବୀ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଦୁଇଟି ଟେଷ୍ଟର ୩ ଇନିଂସରେ ୨୩୭ ରନ୍‌ ସ୍କୋର କରିଥିଲେ। ଏହି ସିରିଜ୍‌ ପରେ ଭାରତୀୟ ଦଳର କୋଚ୍‌ ରବି ଶାସ୍ତ୍ରୀ ତାଙ୍କ ମଧ୍ୟରେ ସଚିନ, ସେହ୍ବାଗ ଏବଂ ଲାରାଙ୍କ ଝଲକ ଦେଖିବାକୁ ମିଳେ ବୋଲି କହିଥିଲେ।

Share