Categories: ଖେଳ

୧୧୨ ବଲ୍‌ ଖେଳି କରିଥିଲେ ୧୯ ରନ୍‌; ସେହ୍ବାଗ କହିଲେ ‘ମୋତେ ନିଦ ଆସୁଛି, ଶୋଇବାକୁ ଦିଅ’

ନୂଆଦିଲ୍ଲୀ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଖେଳ ଦେଖି ନିଦ ଆସୁଥିବା କହିଛନ୍ତି ଭାରତୀୟ ଟିମ୍‌ର ପୂର୍ବ ଓପନର ବିରେନ୍ଦ୍ର ସେହ୍ବାଗ। ମଙ୍ଗଳବାର ପଞ୍ଚମ ଦିନରେ ଓ୍ବିଲିୟମସନ ୧୭୭ ବଲ୍‌ରେ ୬ ଚୌକା ସହାୟତାରେ ୪୯ରନ୍‌ କରିଥିଲେ। ୧୨ରୁ ଖେଳ ଆରମ୍ଭ କରିଥିବା ଓ୍ବିଲିୟମସନ ଈଶାନ୍ତଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ।

ଏକ ସମୟରେ ଓ୍ବିଲିୟମସନ ୧୧୨ ବଲ୍‌ରେ କେବଳ ୧୯ ରନ୍‌ କରିଥିଲେ। ଏହି ସମୟରେ ସେ କେବଳ ଦୁଇଟି ଚୌକା ମାରିଥିଲେ। ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୧୬.୯୬ ରହିଥିଲା। ଏହି ଧିମା ପାଳି ଦେଖି ସେହ୍ବାଗଙ୍କୁ ନିଦ ଆସିବା ଭଳି ଲାଗିଥିଲା। ଏହାକୁ ନେଇ ସେ ନିଜର ମଜାଳିଆ ସ୍ବଭାବରେ ଟୁଇଟ୍‌ କରି ଚର୍ଚ୍ଚାକୁ ଆସିଥିଲେ।

ସେହ୍ବାଗ ଏକ ଛୋଟ କୁକୁରର ଭିଡିଓ ଶେୟାର କରି ‘ଆଜି ପିଚ୍‌ରେ ଓ୍ବିଲିୟମସନ୍‌’ ବୋଲି ଲେଖିଥିଲେ। ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ‘ମୋତେ ନିଦ ଆସୁଛି, ଶୋଇବାକୁ ଦିଅ’ ଗୀତ ବାଜୁଥିଲା। ଏହା ବେଶ୍‌ ଭାଇରାଲ ହେବା ସହ ପ୍ରଶଂସକମାନେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

Share