ବେଙ୍ଗାଲୁରୁ,୬ା୫: ଆଥଲେଟ୍ଙ୍କ ଜୀବନରେ ଏମିତି ସମୟ ଆସେ, ଯେତେବେଳେ ସମର୍ଥକଙ୍କ ଆଶା ଆହୁରି ଭଲ ପ୍ରଦର୍ଶନ କରିବାକୁ ମୋଟିଭେଶନ ଯୋଗାଇବା ବଦଳରେ ଏକ ବୋଝ ପାଲଟିଯାଏ। ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ କ୍ୟାରିୟରରେ ୨୦୧୬ରୁ ୨୦୧୯ ମଧ୍ୟରେ ସେଭଳି ସମୟ ଆସିଥିଲା। ଏହି ବୋଝ ଅତ୍ୟଧିକ ହେବାରୁ କୋହଲି ଭାରତୀୟ ଦଳ ଓ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)ର ଅଧିନାୟକ ପଦ ଛାଡ଼ିଥିଲେ। ଏ ନେଇ କୋହଲି ମଙ୍ଗଳବାର ଆର୍ସିବି ପଡକାଷ୍ଟରେ ପ୍ରକାଶ କରିଛନ୍ତି।
୮ରୁ ୯ ବର୍ଷ ହେଲା ଭାରତୀୟ ଦଳ ଓ ୯ ବର୍ଷ ଧରି ଆର୍ସିବି ଦଳର ନେତୃତ୍ୱ ନେଉଥିଲି। ଏଥିସହିତ ପ୍ରତ୍ୟେକ ମ୍ୟାଚ୍ରେ ମୁଁ ବ୍ୟାଟରେ ପ୍ରଦର୍ଶନ କରିବି ବୋଲି ସମର୍ଥକଙ୍କ ଆଶା ମଧ୍ୟ ରହିଥିଲା। ଏହା ଅତ୍ୟଧିକ ହୋଇଯାଇଥିଲା। ଏହାକୁ ନେଇ ଅତ୍ୟଧିକ ଚର୍ଚ୍ଚା ଓ ତୀବ୍ରତା ଯୋଗୁ ମୋ ପାଖରେ ନିଶ୍ୱାସ ନେବାକୁ ସ୍ଥାନ ମିଳୁ ନ ଥିଲା। ମୁଁ କଦାପି ଚର୍ଚ୍ଚାରେ ନ ଥିବା ଭଳି ଅନୁଭବ କରିନାହିଁ। ଲଗାତର ମୋ ନେତୃତ୍ୱ ଓ ପ୍ରଦର୍ଶନକୁ ସମ୍ମୀକ୍ଷା କରାଯାଉଥିଲା।
ଶେଷରେ ମୋତେ ନିଜକୁ ପଚାରିବାକୁ ପଡ଼ିଥିଲା ଯେ, ମୁଁ ଏବେ ବି ଖୁସି ଅଛି କି। ମୁଁ ଏହାକୁ ଜାରି ରଖିବାକୁ ଚାହୁଁଛି କି’ ବୋଲି କୋହଲି କହିଛନ୍ତି। ୨୦୨୧ ଆଇପିଏଲ୍ ଶେଷ ହେବା ପରେ କୋହଲି ଆର୍ସିବି ନେତୃତ୍ୱରୁ ଓହରି ଯାଇଥିଲେ। ଏହାପରେ ସେ ଭାରତୀୟ ଟି୨୦ ଦଳର ନେତୃତ୍ୱ ମଧ୍ୟ ଛାଡ଼ିବା ପରେ ତାଙ୍କୁ ଦିନିକିଆ ଦଳର ନେତୃତ୍ୱରୁ ବିସିସିଆଇ ହଟାଇଥିଲା। ୨୦୨୨ ଆରମ୍ଭରେ କୋହଲି ଟେଷ୍ଟ ଦଳର ନେତୃତ୍ୱ ମଧ୍ୟ ଛାଡ଼ିଥିଲେ।


