Categories: ଖେଳ

କେପ୍‌ ଟାଉନ୍‌ରେ କୋହଲି ଯାହା କରିଛନ୍ତି, କେହିବି ତାଙ୍କୁ ଆଦର୍ଶ ମାନିବେ ନାହିଁ: ଗମ୍ଭୀର

ନୂଆଦିଲ୍ଲୀ,୧୪।୧: ନୂଆ ବିବାଦରେ ଫସିଛନ୍ତି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି। କେପ୍‌ ଟାଉନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ତୃତୀୟ ଦିନରେ ଏକ ଡିଆର୍‌ଏସ୍‌କୁ ନେଇ ବିବାଦ ଦେଖାଦେଇଛି। କୋହଲିଙ୍କ ବ୍ୟବହାରକୁ ନେଇ ପୂର୍ବତନ ଭାରତୀୟ ଓପନର୍‌ ଗୌତମ ଗମ୍ଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେ କହିଛନ୍ତି କେପ୍‌ ଟାଉନ୍‌ ମଇଦାନରେ କୋହଲି ଯାହା କରିଛନ୍ତି, ତା’ ପରେ ତାଙ୍କୁ କେହି ବି ଆଦର୍ଶ ବୋଲି ମାନିବେ ନାହିଁ। ଏମିତି କାମ କରି ସେ ନିଜ ଅପରିପକ୍ୱତାର ପରିଚୟ ଦେଇଛନ୍ତି। ଭାରତୀୟ ଦଳର ଅଧିନାୟକ ଭାବେ ଷ୍ଟମ୍ପ ନିକଟକୁ ଯାଇ କହିବା ବହୁତ ବଡ଼ ଭୁଲ। ଏହାଦ୍ୱାରା ସେ ଯୁବ ଖେଳାଳିଙ୍କ ଆଦର୍ଶ ହୋଇପାରିବେ ନାହିଁ। ପ୍ରଥମ ଇନିଂସରେ ଉଇକେଟକିପର କ୍ୟାଚ୍‌ ମାମଲା ୫୦-୫୦ ଥିଲା, ସେତେବେଳେ କୋହଲି ଶାନ୍ତ ଥିଲେ, ମୟଙ୍କ ଅଗ୍ରଓ୍ବାଲ ଅପିଲ କରୁଥିଲେ। ଏଣୁ କୋଚ୍‌ ଦ୍ରାବିଡଙ୍କୁ ଏନେଇ ତାଙ୍କ ସହ କଥା ହେବା ଆବଶ୍ୟକ ବୋଲି ଗମ୍ଭୀର କହିଛନ୍ତି।

ପ୍ରକାଶ ଯେ, ଇନିଂସର ୨୧ତମ ଓଭରରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ ଘରୋଇ ଦଳ ଅଧିନାୟକ ଡିନ୍‌ ଏଲଗାରଙ୍କ ପ୍ୟାଡ୍‌ରେ ବାଜିଥିଲା। ଏହାକୁ ଆଉଟ୍‌ ଦର୍ଶାଇଥିଲେ ଫିଲ୍ଡ ଅମ୍ପାୟାର ମାରାଇସ ଏରାମସ। ହେଲେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ସେ ଚ୍ୟାଲେଞ୍ଜ କରିଥିଲେ। ଶେଷରେ ତାଙ୍କୁ ଜୀବନଦାନ ମିଳିଥିଲା। ଏହି ବିବାଦୀୟ ନିଷ୍ପତ୍ତି ଯୋଗୁ କୋହଲି, ଅଶ୍ୱିନ ଏବଂ ଲୋକେଶ ରାହୁଲ ଷ୍ଟମ୍ପ ମାଇକ୍‌ ଜରିଆରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ,ଯାହାକି ଏବେ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଅନେକ କ୍ରିକେଟର ଏନେଇ ମତ ରଖୁଛନ୍ତି।

Share