ପାଞ୍ଚଥରର ଚାମ୍ପିୟନକୁ ହରାଇ ଆତ୍ମବିଭୋର ଆର୍‌ସିବି ଅଧିନାୟକ: ହର୍ଷଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌-୨୦୨୧ର ପ୍ରଥମ ମ୍ୟାଚ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିଜେତା ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। କୋହଲିଙ୍କ ଟିମ୍‌ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ)କୁ ୨ ଉଇକେଟରେ ହରାଇଛି। ଉଭୟ ଟିମ୍‌ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ବେଶ ରୋମାଞ୍ଚକର ଥିଲା। ତେବେ ମ୍ୟାଚ୍‌ ଶେଷ ହେବା ପରେ ଅଧିନାୟକ କୋହଲି ପ୍ରତିକ୍ରିୟା ରଖି କହିଛନ୍ତି, ଆମେ ଗତ ଥର ମଧ୍ୟ ପ୍ରଥମ ମ୍ୟାଚ୍‌ ଜିତିଥିଲୁ। ଟୁର୍ନାମେଣ୍ଟରେ ସବୁଠାରୁ ମଜଭୂତ ଟିମ୍‌ ସହ ଖେଳିବା ପ୍ରମୁଖ କଥା ଥିଲା। ନିଜ ଟିମ୍‌ର କ୍ଷମତାକୁ ପରୀକ୍ଷା କରିବା ମହତ୍ୱପୂର୍ଣ୍ଣ ଥିଲା। ସମସ୍ତ ଖେଳାଳି ମ୍ୟାଚ୍‌ରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ମୋ ସମ୍ମୁଖରେ ବହୁତ ବିକଳ୍ପ ଥିଲା। ଏଣୁ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବା ସହଜ ହେଲା। ଗ୍ଲେନ ମାକ୍ସଓ୍ବେଲ ଏବଂ ମୋ ଭିତରେ ଓ ପରେ ଏବି ଡିଭିଲିୟର୍ସଙ୍କ ମଧ୍ୟରେ ଭାଗିଦାରୀ ଯୋଗୁ ଦଳ ସୁଦୃଢ଼ ହେଲା। ହର୍ଷଲ ପଟେଲଙ୍କ ବୋଲିଂ ଭଲ ରହିଥିଲା। ସେ ଆମର ଡେଥ୍‌ ବୋଲର୍‌ ହେବାକୁ ଯାଉଛନ୍ତି। ଅଧିନାୟକ ଭାବେ ଯେଭଳି ଖେଳାଳି ଜଣେ ଚାହେଁ ତାଙ୍କ ପାଖରେ ସମସ୍ତ ଗୁଣ ରହିଛି। ଆଜି ତାଙ୍କର ଦିନ ଥିଲା। ଏହାଛଡ଼ା କାଇଲ ଗୈମିସନ ଏବଂ ୟୁଜବେନ୍ଦ୍ର ଚହଲ ମଧ୍ୟ ଭଲ ବୋଲିଂ କରିଥିବା ଯୋଗୁ ଦଳ ବିଜେତା ହୋଇପାରିଲା ବୋଲି ସେ କହିଛନ୍ତି।

Share