Categories: ଖେଳ

ଅଧିନାୟକଙ୍କ ଭଳି କାମ କରୁଛନ୍ତି କୋହଲି

ଲଣ୍ଡନ,୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ୍‌ରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ମ୍ୟାଚର ଦ୍ୱିତୀୟ ଦିନରେ ବିରାଟ କୋହଲି ଫିଲ୍ଡିଂ ବେଳେ ଅଧିନାୟକ ଜଶପ୍ରୀତ ବୁମ୍‌ରାଙ୍କୁ ସାହାଯ୍ୟ କରୁଥିବା ନଜର ଆସିଥିଲେ। ବୁମ୍‌ରା ପ୍ରଥମ ଥର ପାଇଁ ଦଳର ନେତୃତ୍ୱ ନେଉଛନ୍ତି। ଫିଲ୍ଡିଂ ସମୟରେ ତାଙ୍କୁ ଅନେକ ଥର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏଭଳି ପରିସ୍ଥିତିରେ କୋହଲି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ। ବୁମ୍‌ରା ମଧ୍ୟ ନିଜେ କୋହଲିଙ୍କ ନିକଟକୁ ଯାଇ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ବୋଲିଂ ପରିବର୍ତ୍ତନ ଠାରୁ ଆରମ୍ଭ କରି ଫିଲ୍ଡିଂ ସେଟିଂ ପର୍ଯ୍ୟନ୍ତ କୋହଲି ପରାମର୍ଶ ଦେଉଥିଲେ। ଏହା ବ୍ୟତୀତ ସେ ଟିମ ହର୍ଡଲରେ ଖେଳାଳିଙ୍କୁ ବୁଝାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।
କୋହଲି ଚଳିତ ବର୍ଷ ଜାନୁଆରୀରେ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ନିୟମିତ ଅଧିନାୟକ କରାଯାଇଥିଲା। କେ.ଏଲ ରାହୁଲଙ୍କୁ ଉପ-ଅଧିନାୟକ କରାଯାଇଥିଲା। ରୋହିତ ଇଂଲଣ୍ଡ ଗସ୍ତରେ ଯାଇଥିଲେ, କିନ୍ତୁ କରୋନା ସଂକ୍ରମିତ ହେତୁ ସେ ଏହି ଟେଷ୍ଟରେ ଖେଳି ନ ଥିଲେ। ଆହତ କାରଣରୁ କେଏଲ ରାହୁଲ ଦଳ ବାହାରେ ଅଛନ୍ତି। ଫଳରେ ବୁମ୍‌ରାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା।
ଏହି ମ୍ୟାଚ ଗତ ବର୍ଷ ଅନୁଷ୍ଠିତ ଟେଷ୍ଟ ସିରିଜର ଏକ ଅଂଶ। ୨୦୨୧ ଅଗଷ୍ଟ-ସେପ୍ଟେମ୍ବର ରେ, ଟିମ ଇଣ୍ଡିଆ ଇଂଲଣ୍ଡରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଥିଲା। ତେବେ କରୋନା କାରଣରୁ ପଞ୍ଚମ ମ୍ୟାଚ ଅନୁଷ୍ଠିତ ହୋଇପାରିଲା ନାହିଁ। ଚାରିଟି ଟେଷ୍ଟ ପାଇଁ ଭାରତ ୨-୧ରେ ଆଗୁଆ ରହିଥିଲା।

Share