Categories: Home Leftଖେଳ

ଅକଲାଣ୍ଡରେ କୋହଲିଙ୍କ ଶେଷ ଦିନିକିଆ ମ୍ୟାଚ! ବ୍ୟାଟ ଉଠାଇ ଫ୍ୟାନ୍ସଙ୍କୁ ଦେଲେ ଏମିତି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୫।୧୧: ବିରାଟ କୋହଲି ୫୧ଟି ବଲରୁ ୧୩ଟି ଚୌକା ଓ ଗୋଟିଏ ଛକା ସହ ୭୪ ରନର ଚମତ୍କାର ଇନିଂସ ଖେଳି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ ଇଣ୍ଡିଆକୁ ଏକତରଫା ବିଜୟ ଦେଇଥିଲେ। ବୁଧବାର ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୫ ଉଇକେଟ୍‌ରେ ବିଜୟୀ ହୋଇଥିଲା। ରନଚେଜ୍‌ରେ କୋହଲି ଭାରତ ପକ୍ଷରୁ ସର୍ବାଧିକ ରନ କରିଥିଲେ। ଏଠାକୁ ସବୁକିଛି ଠିକଠାକ୍‌ ଥିଲା, କିନ୍ତୁ ଆଉଟ ହୋଇ ପ୍ୟାଭିଲିୟନକୁ ଫେରିବା ସମୟରେ ଯାହା ଘଟିଲା, ତାହା ଦେଖି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଥିଲା।

ଡ୍ରେସିଂ ରୁମ୍‌ରୁ ଫେରିବା ସମୟରେ କୋହଲି ନିଜ ବ୍ୟାଟକୁ ଆକାଶକୁ ଉଠାଇ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଦୃଶ୍ୟଟି ଠିକ ସେହିଭଳି ଥିଲା, ଯେପରି ଅଷ୍ଟ୍ରେଲିଆରେ ଟେଷ୍ଟ କ୍ରିକେଟରୁ ଅବସର ନେବା ପୂର୍ବରୁ ସେ କରିଥିଲେ। କୋହଲି ନିଜ କ୍ୟାରିୟରର ଶେଷ ଟେଷ୍ଟ ସିରିଜ ଅଷ୍ଟ୍ରେଲିଆ ମାଟିରେ ଖେଳିଥିଲେ। ସେହି ସମୟରେ କେହି ଜାଣିନଥିଲେ ଯେ ସିରିଜ ପରେ ସେ ଟେଷ୍ଟ କ୍ରିକେଟରୁ ଅବସର ନେବେ।

ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଟେଷ୍ଟରେ କୋହଲି ଶତକ ହାସଲ କରିଥିଲେ। ଏହାପରେ ପ୍ୟାଭିଲିୟନକୁ ଫେରିବା ସମୟରେ ସେ ଠିକ ଏହିଭଳି ବ୍ୟାଟ ଉଠାଇ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଥିଲେ।

ଟେଷ୍ଟ କ୍ରିକେଟ ବ୍ୟତୀତ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ମଧ୍ୟ ଅବସର ନେଇସାରିଛନ୍ତି। ଏହା ସହିତ ୨୦୨୭ ଦିନିକିଆ ବିଶ୍ୱକପ ପରେ ସେ ଦିନିକିଆ କ୍ରିକେଟରୁ ମଧ୍ୟ ଅବସର ନେଇ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏହି ପରିପ୍ରେକ୍ଷୀରେ କୋହଲିଙ୍କ ମନକୁ ହୁଏତ ଏହି ଭାବନା ଆସିଥାଇପାରେ ଯେ, ଆଗାମୀ ବିଶ୍ୱକପ ପୂର୍ବରୁ ତାଙ୍କୁ ଏହି ଷ୍ଟାଡିୟମରେ ଆଉ କୌଣସି ମ୍ୟାଚ ଖେଳିବାର ସୁଯୋଗ ମିଳିନପାରେ। ତେଣୁ ଅକଲାଣ୍ଡର ଏହି ଷ୍ଟାଡିୟମରେ ଏହା ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ହୋଇପାରେ ବୋଲି ଭାବି ସେ ବ୍ୟାଟ ଉଠାଇ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥାଇପାରନ୍ତି।

କମେଣ୍ଟେଟରମାନେ ମଧ୍ୟ ଏହି ଦିଗ ଉପରେ ଆଲୋକପାତ କରିଥିଲେ। ସେମାନଙ୍କ ମତରେ, ଅକଲାଣ୍ଡ ମଇଦାନରେ କୋହଲି ହୁଏତ ଶେଷ ଥର ପାଇଁ ଖେଳୁଥାଇପାରନ୍ତି। ତେବେ ଏବେଠାରୁ ତାଙ୍କ ଅବସରକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ବର୍ତ୍ତମାନ କୋହଲିଙ୍କ ମୁଖ୍ୟ ଲକ୍ଷ୍ୟ ୨୦୨୭ ବିଶ୍ୱକପ ରହିଛି।

ସିରିଜ୍ର ଦ୍ୱିତୀୟ ଦିନିକିଆ ନଭେମ୍ବର ୭ ତାରିଖ (ଶନିବାର)ରେ ୱେଲିଂଟନରେ ଖେଳାଯିବ। ଏହି ମ୍ୟାଚରେ ନିଶ୍ଚିତ ଭାବେ ବିରାଟ କୋହଲି ଖେଳୁଥିବା ନଜର ଆସିବେ।

Dharitri – Odisha’s No.1 Odia Daily

Share