Categories: ଖେଳ

ବିବାଦକୁ ଭୁଲିଗଲେଣି କି ଅଷ୍ଟ୍ରେଲିଆ ଅଧିନାୟକ? କୋହଲିଙ୍କୁ ନେଇ ଦେଲେ ଏଭଳି ବଡ଼ ବୟାନ

ନୂଆଦିଲ୍ଲୀ,୧୪।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। କ୍ରିକେଟ୍‌ର ତିନୋଟିଯାକ ଫର୍ମାଟ୍‌ରେ ତାଙ୍କର ରେକର୍ଡ ଅନ୍ୟଙ୍କ ପାଇଁ ପ୍ରେରଣା। ଟେଷ୍ଟ ହେଉ ଅଥବା ଟି୨୦ ଅନ୍ତର୍ଜାତୀୟ, ପ୍ରତିଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌କୁ ଅତି ଚମତ୍କାର ଢ଼ଙ୍ଗରେ ଖେଳିଥାନ୍ତି ସେ। ବିଶେଷଭାବେ ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ସ୍କୋର କରିବାକୁ ସେ ପସନ୍ଦ କରିଥାନ୍ତି।

ବିରୋଧୀ ଟିମ୍‌ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ନେଇ ଅଷ୍ଟ୍ରେଲିୟ କ୍ରିକେଟର ଜଣାଶୁଣା। ହେଲେ ବିରାଟ ମଧ୍ୟ ସେଭଳି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବୋତ୍ତମ ପ୍ରଦର୍ଶନ କରିଥାନ୍ତି ସେ। ଏହି ୫ ଥର ବିଶ୍ୱକପ୍‌ ଚାମ୍ପିୟନ୍‌ ଟିମ୍‌ ବିପକ୍ଷରେ ସେ ଅନେକ ସ୍ମରଣୀୟ ଇଂନିସ ଖେଳିଛନ୍ତି। ଏହାଛଡ଼ା ଅନେକ ଖେଳାଳିଙ୍କ ସହ ମଇଦାନରେ ବିବାଦ ମଧ୍ୟ ହୋଇଛି। ସେଥିରୁ ଜଣେ ହେଉଛନ୍ତି ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌। ଅନେକ ଥର ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ଦେଖିବାକୁ ମିଳିଥିଲେ ହେଁ କୋହଲିଙ୍କୁ ନେଇ ମନ କିଣିବା ଭଳି କଥା କହିଛନ୍ତି ପେନ୍‌।

ଆଦାମ ଗିଲକ୍ରିଷ୍ଟ ଏବଂ ଟିମ୍‌ ଗୋସାଜେଙ୍କ ସହ ବାର୍ତ୍ତାଳାପରେ ପେନ୍‌ କହିଛନ୍ତି, କୋହଲି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। ତାଙ୍କର ପ୍ରତିଯୋଗୀତାମୂଳକ ଆଚରଣ ବେଶ କାରିଗର ସାବ୍ୟସ୍ତ ହୁଏ। ତାଙ୍କ ବିପକ୍ଷରେ ଖେଳିବା ଚ୍ୟାଲେଞ୍ଜ ଅଟେ କାରଣ ସେ ଚାପ ପକାଇବା ଲାଗି ଚେଷ୍ଟା କରିଥାନ୍ତି। ସେ ଏଭଳି ଜଣେ ଖେଳାଳି ଯାହାକୁ ନିଜ ଟିମ୍‌ରେ ରଖିବାକୁ ପସନ୍ଦ କରିବେ। ଚାରି ବର୍ଷ ପୂର୍ବେ ତାଙ୍କ ସହ ବିବାଦ ହୋଇଥିଲେ ହେଁ ତାଙ୍କୁ ସବୁବେଳେ ମନେ ରଖିବି ବୋଲି ସେ କହିଛନ୍ତି।

Share