‘ମୁଁ ଫୋନ୍ କରୁଥିଲି କିନ୍ତୁ…’… ବିରାଟ କୋହଲିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ DCର କୋଚ୍

ନୂଆଦିଲ୍ଲୀ,୨୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିରୋଧରେ ପୁଣିଥରେ ଏକ ବଡ଼ ଅଭିଯୋଗ ଆସିଛି। ପୂର୍ବତନ ଭାରତୀୟ ସ୍ପିନର୍ ତଥା ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ୍ ବୋଲିଂ କୋଚ୍ ଅମିତ ମିଶ୍ରା କୋହଲିଙ୍କ ନାମରେ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ୨୦୧୭ ମସିହାରେ ଆହତ ହୋଇ ଦଳରୁ ବାହାରିବା ସମୟରେ କୋହଲି ତାଙ୍କୁ ଟିମକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଭରସା ଦେଇଥିଲେ, କିନ୍ତୁ ପରେ ଫିଟ୍ ହେବା ପରେ କଲ୍ କଲେ ମଧ୍ୟ କୋହଲି ତାଙ୍କୁ ଫୋନ୍‌ ଉଠାଇ ନ ଥିଲେ ବୋଲି ମିଶ୍ରା ପ୍ରକାଶ କରିଛନ୍ତି।

ଭାରତୀୟ ଦଳ ପାଇଁ ଅନେକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଥିବା ୪୩ ବର୍ଷୀୟ ଲେଗ୍ ସ୍ପିନର୍ ଅମିତ ମିଶ୍ରା ଏକ ପଡକାଷ୍ଟରେ ଏହି କଥା କହିଛନ୍ତି। ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା କମେଣ୍ଟର ଆକାଶ ଚୋପ୍ରାଙ୍କ ପଡକାଷ୍ଟ ‘ବୈଠ ଏଣ୍ଡ ବୋଲ୍’ରେ କଥାବାର୍ତ୍ତା ସମୟରେ ମିଶ୍ରା ଅଭିଯୋଗ କରିଛନ୍ତି ଯେ, କୋହଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଫିଟ୍ ହେବାମାତ୍ରେ ତାଙ୍କୁ ପୁଣି ଦଳରେ ନିଆଯିବ, କିନ୍ତୁ ପରେ ସେ କଥାକୁ ଏଡ଼ାଇ ଦେଇଥିଲେ ଏବଂ ଫୋନ୍ ମଧ୍ୟ ଉଠାଇ ନଥିଲେ।

ଅମିତ ମିଶ୍ରା କହିଛନ୍ତି, “ଯେତେବେଳେ ମୁଁ ଆହତ ହୋଇ ବାହାରକୁ ଯାଉଥିଲି, ସେତେବେଳେ ଅନିଲ ଭାଇ (ଅନିଲ କୁମ୍ବଲେ) କୋଚ୍ ଥିଲେ। ଅନିଲ ଭାଇ କହୁଥିଲେ ଯେ ଚିନ୍ତା କର ନାହିଁ, ଫିଟ୍ ହେବାମାତ୍ରେ ତୁମେ ସ୍ୱୟଂଚାଳିତ ଭାବେ ଫେରିଆସିବ। ସେତେବେଳେ ବିରାଟ କୋହଲି ଅଧିନାୟକ ହୋଇଥିଲେ। ମୁଁ କୋହଲିଙ୍କୁ ମଧ୍ୟ ପଚାରିଥିଲି ଯେ ଆଗକୁ କ’ଣ କରିବାକୁ ହେବ? ସେ କହିଥିଲେ, ଚିନ୍ତା କର ନାହିଁ, ଆପଣ ଫିଟ୍ ହୋଇଯାଆନ୍ତୁ। ଏହାପରେ ମୁଁ (ଫିଟ୍ ହୋଇ) ତାଙ୍କ ପାଖକୁ ଗଲି ଏବଂ ପଚାରିଲି ଯେ ଭାଇ ସ୍ଥିତି କ’ଣ? ସେତେବେଳେ ସେ କହିଥିଲେ ଯେ ମୁଁ ଆପଣଙ୍କୁ ୧୦ ଦିନ ମଧ୍ୟରେ ଜଣାଉଛି।”

ମିଶ୍ରା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଏହାପରେ କୋହଲି ତାଙ୍କ ଫୋନ୍ ଉଠାଇବା ବନ୍ଦ କରିଦେଇଥିଲେ। ସେ କହିଛନ୍ତି, “ଗୋଟିଏ ସପ୍ତାହ, ଦୁଇ ସପ୍ତାହ ଏବଂ ତିନି ସପ୍ତାହ ବିତିଗଲା, କିନ୍ତୁ କୌଣସି ଜବାବ ଆସିଲା ନାହିଁ। ମୁଁ କଲ୍ କଲି କିନ୍ତୁ ସେ ଫୋନ୍ ଉଠାଇଲେ ନାହିଁ। ମେସେଜ୍ କଲି, କୌଣସି ପ୍ରତିକ୍ରିୟା ମିଳିଲାନି। ପୁଣି ଦୁଇଥର ଫୋନ୍ କଲି କିନ୍ତୁ କିଛି ଉତ୍ତର ମିଳିଲା ନାହିଁ। ଶେଷରେ ମୁଁ ମଧ୍ୟ ଆଶା ଛାଡିଦେଲି।”

ମିଶ୍ରା କହିଛନ୍ତି ଯେ ଏହାପରେ ସେ ଆଉ ଆଶା ରଖିବା ବନ୍ଦ କରିଦେଇଥିଲେ। ବିଶେଷ କରି ଯେତେବେଳେ ତାଙ୍କଠାରୁ ଅଧିକ ସମୟ ଧରି ଆହତ ଥିବା ଅନ୍ୟ ଖେଳାଳିମାନେ ଦଳକୁ ଫେରିଲେ, କିନ୍ତୁ ସେ ଆଉ ଫେରିପାରିଲେ ନାହିଁ। ଏହାପରେ ମିଶ୍ରା ଆଉ ଭାରତୀୟ ଦଳକୁ ଫେରି ନଥିଲେ। ୨୦୧୭ ମସିହା ଫେବୃଆରୀ ମାସରେ ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍ ଥିଲା ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍। ଅମିତ ମିଶ୍ରା ଭାରତ ପାଇଁ ୨୨ଟି ଟେଷ୍ଟ୍ ମ୍ୟାଚ୍‌ରେ ୭୬ଟି ଉଇକେଟ୍ , ୩୬ଟି ଦିନିକିଆରେ ୬୪ଟି ଉଇକେଟ୍  ଏବଂ ୧୦ଟି ଟି-୨୦ ମ୍ୟାଚ୍‌ରେ ୧୬ଟି ଉଇକେଟ୍  ହାସଲ କରିଛନ୍ତି।

Dharitri – Odisha’s No.1 Odia Daily

Share