Categories: ଖେଳ

ଚେନ୍ନାଇ ମ୍ୟାଚ୍‌ରେ ହୃଦୟ ଜିତିଲେ କୋହଲି: ଇଂଲଣ୍ଡ ଅଧିନାୟକ କହିଲେ ‘ଧନ୍ୟବାଦ’

ଚେନ୍ନାଇ,୬।୨: ଭାରତୀୟ ଅଧିନାୟକ ବିରାଟ କୋହଲି ମଇଦାନରେ ବେଶ ଆକ୍ରାମକ ଥାନ୍ତି। ହେଲେ ଶୁକ୍ରବାର ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଖେଳାଯାଉଥିବା ସିରିଜ୍‌ର ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ତାଙ୍କର ଏକ ଅଲଗା ରୂପ ଦେଖିବାକୁ ମିଳିଛି। ସେ ଫର୍ମରେ ଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ସାହାଯ୍ୟ କରିଛନ୍ତି। ଏହାକୁ ନେଇ ବିରାଟଙ୍କ ପ୍ରଶଂସା କରାଯାଉଛି।

ଜୋ ରୁଟ୍‌ ୧୯୨ ବଲ୍‌ରେ ୧୨୭ ରନ୍‌ କରି ଖେଳୁଥିଲେ। ଏହି ସମୟରେ ସେ ରନ୍‌ ନେଉଥିବା ବେଳେ ତାଙ୍କ ଜଙ୍ଘରେ କ୍ରାମ୍ପ୍ସ ଆସିଥିଲା। ସେ ଯନ୍ତ୍ରଣାରେ ଛଟପଟ ହୋଇ ପଡ଼ିଆରେ ଶୋଇ ପଡ଼ିଥିଲେ। ଏହାଦେଖି ବିରାଟ ତାଙ୍କର ସହାୟତା କରିଥିଲେ। ପରେ ରୁଟ୍‌ ପୁଣିଥରେ ଖେଳିବାକୁ ପ୍ରସ୍ତୁତ ହୋଇଥିଲେ। ହେଲେ ଅପରପକ୍ଷରେ ଥିବା ସିବ୍‌ଲେ ଏଲ୍‌ବିଡବ୍ଲୁ ହେବା ପରେ ଅମ୍ପାୟାର ଦିନର ଖେଳ ସମାପ୍ତ ହୋଇଥିବା ଘୋଷଣା କରିଥିଲେ।

କୋହଲିଙ୍କ ଏଭଳି ବ୍ୟବହାରର ପ୍ରଶଂସା କରାଯାଉଥିବା ବେଳେ ବିସିସିଆଇ ତାଙ୍କର ପ୍ରଶଂସା ଏମ୍‌ଏସ୍‌ ଧୋନୀଙ୍କ ସହ କରିଛି। ଏକଦା ଧୋନୀ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଫାଫ୍‌ ଡୁପ୍ଲେସୀଙ୍କୁ ସହାୟତା କରିଥିଲେ। ବିସିସିଆଇ ବିରାଟ ଏବଂ ରୁଟ୍‌ଙ୍କ ଏକ ଫଟୋ ଶେୟାର କରି ଖେଳ ଭାବନାର ସର୍ବଶ୍ରେଷ୍ଠ ରୂପ ବୋଲି କହିଛନ୍ତି। ଏହାଛଡ଼ା ରୁଟ୍‌ ମଧ୍ୟ କୋହଲିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share