Categories: Home Leftଖେଳ

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଏଜବେଷ୍ଟନଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳର ବଡ଼ ବିଜୟ ପରେ କୋହଲି ଯୁବ ଅଧିନାୟକ ଶୁବମନ ଗିଲ୍‌ଙ୍କୁ ଯେଉଁଭଳି ଭାବେ ସମ୍ମାନ ଦେଲେ, ତାହା ପ୍ରଶଂସକଙ୍କ ହୃଦୟ ଜିତି ନେଇଛି।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୨୫୮ ରନ କରିଥିଲା। ଜବାବରେ ଭାରତ ପକ୍ଷରୁ ଅଧିନାୟକ ଶୁବମନ ୮୦ ରନ୍‌ର ଏକ ଦମଦାର ପାଳି ଖେଳିଥିଲେ, କିନ୍ତୁ ଆହତ ହେବା ଯୋଗୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ଏହା ପରେ ୱାଶିଂଟନ ସୁନ୍ଦର ଏବଂ ଅକ୍ଷର ପଟେଲ ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟୀ କରାଇଥିଲେ।

ମ୍ୟାଚ ଶେଷ ହେବା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଜଣେ ଦର୍ଶକ କୋହଲିଙ୍କ ଏହି ଭିଡିଓଟିକୁ କ୍ୟାମେରାରେ କଏଦ କରିଥିଲେ, ଯାହା ଏବେ ଇଣ୍ଟରନେଟ୍‌ରେ ଧମାଲ ମଚାଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ମ୍ୟାଚ ଜିତିବା ପରେ ପରସ୍ପର ସହ ହାତ ମିଳାଇବା ପାଇଁ ଇଂଲଣ୍ଡର ସମସ୍ତ ଖେଳାଳି ପଡ଼ିଆ ମଝିରେ ଛିଡ଼ା ହୋଇଥିଲେ। ଏହି ସମୟରେ ଭାରତୀୟ ଡ୍ରେସିଂ ରମ୍‌ରୁ ଖେଳାଳିମାନେ ବାହାରକୁ ଆସୁଥିଲେ ଏବଂ ବିରାଟ କୋହଲି ସମସ୍ତଙ୍କ ଆଗରେ ଚାଲୁଥିଲେ।

କିନ୍ତୁ ପଡ଼ିଆକୁ ପ୍ରବେଶ କରିବା ପୂର୍ବରୁ କୋହଲି ହଠାତ୍‌ ଅଟକି ଯାଇଥିଲେ ଏବଂ ପଛକୁ ଚାହିଁ କାହାକୁ ଅପେକ୍ଷା କରିଥିଲେ। ସେ ହାତଠାରି ଅତି ଶୀଘ୍ର ଦୌଡ଼ି ଆସିବାକୁ କାହାକୁ ଇସାରା କରୁଥିଲେ। ପରେ ଦେଖାଗଲା ଯେ ସେ ଅଧିନାୟକ ଶୁବମନଙ୍କୁ ଡାକୁଥିଲେ। କୋହଲି ସେଠାରେ ଅଟକି ରହି ଗିଲ୍‌ଙ୍କୁ ନିଜ ଆଗକୁ ପଠାଇଥିଲେ, ଯଦ୍ୱାରା ନିୟମ ଅନୁଯାୟୀ ଦଳର ଅଧିନାୟକ ସର୍ବପ୍ରଥମେ ବିପକ୍ଷ ଦଳ ସହ ହାତ ମିଳାଇପାରିବେ।

ଜଣେ ଏତେ ବଡ଼ ମହାନ ଖେଳାଳି ହୋଇ ମଧ୍ୟ ଜୁନିୟର ଖେଳାଳି ତଥା ଦଳର ବର୍ତ୍ତମାନର ଅଧିନାୟକଙ୍କୁ ଏଭଳି ସମ୍ମାନ ଦେବା ଘଟଣାକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ବିରାଟ କୋହଲିଙ୍କର ଏହି ମହାନତାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି।

Odisha’s No.1 Odia Daily