ହ୍ୟାରି କେନଙ୍କୁ ଅଭିନନ୍ଦନ ଜଣାଇଲେ ବିରାଟ କୋହଲି କହିଲେ – ‘ଆପଣ ଏହି ପୁରସ୍କାର ପାଇବାକୁ ଯୋଗ୍ୟ…’

ନୂଆଦିଲ୍ଲୀ,୨୭।୧୦: ଇଂରେଜ ଫୁଟବଲ ଖେଳାଳି ହ୍ୟାରି କେନ ‘ବ୍ୟାଲୋନ ଡି’ଅର୍‌’ (Ballon d’Or) ପୁରସ୍କାର ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗତ ୨୫ ବର୍ଷ ମଧ୍ୟରେ ଏହି ସମ୍ମାନ ହାସଲ କରିବାରେ ସେ ପ୍ରଥମ ଇଂରେଜ ଖେଳାଳି ଅଟନ୍ତି। ମଙ୍ଗଳବାର ଲଣ୍ଡନ ପାଲାଡିୟମ୍ଠାରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଦୌଡ଼ରେ ଫ୍ରାନ୍ସର ତାରକା ଖେଳାଳି କିଲିଆନ ଏମ୍ବାପେ ଏବଂ ସ୍ପେନର ଲାମିନ ୟାମାଲ ମଧ୍ୟ ସାମିଲ ଥିଲେ, ଯେଉଁମାନେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିରାଟ କୋହଲି ଏକ ପୋଷ୍ଟ ମାଧ୍ୟମରେ କେନଙ୍କୁ ତାଙ୍କର ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ବିରାଟ କୋହଲି ଏବଂ ହ୍ୟାରି କେନ ଉଭୟ ନିଜ ନିଜ କ୍ରୀଡ଼ା କ୍ଷେତ୍ରର ଜଣେ ଜଣେ ବରିଷ୍ଠ ଖେଳାଳି ହେବା ସହ ପରସ୍ପରର ଭଲ ବନ୍ଧୁ ମଧ୍ୟ ଅଟନ୍ତି; ସେମାନେ ଅନେକ ଥର ପରସ୍ପରକୁ ଭେଟିଛନ୍ତି। କେନ ‘ବ୍ୟାଲୋନ ଡି’ଅର୍‌’ ଜିତିବା ପରେ, କୋହଲି ତାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ସେ ପ୍ରକୃତରେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଥିଲେ। କେନଙ୍କ ର୍ଧଯ୍ୟ ଏବଂ ନିଷ୍ଠାର ପ୍ରଶଂସା କରି କୋହଲି ଆହୁରି ମଧ୍ୟ କହିଛନ୍ତି, ‘ଈଶ୍ୱର ଆପଣଙ୍କ ଉପରେ ସର୍ବଦା ଆଶୀର୍ବାଦ ବର୍ଷା କରନ୍ତୁ।’
ନିଜର ‘X’ (ପୂର୍ବରୁ ଟୁଇଟର) ଆକାଉଣ୍ଟରେ ଏକ ପୋଷ୍ଟ କରି ବିରାଟ କୋହଲି ଲେଖିଛନ୍ତି, ‘ହ୍ୟାରି, ମୋ ବନ୍ଧୁ, ତୁମେ ପ୍ରକୃତରେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ। ଦୀର୍ଘ ବର୍ଷ ଧରି ଫୁଟବଲର ସର୍ବୋଚ୍ଚ ସ୍ତରରେ ଖେଳିବା ସମୟରେ ତୁମେ ଯେଉଁ ଧୈଯ୍ୟ, କଠିନ ପରିଶ୍ରମ ଏବଂ ନିଷ୍ଠା ପ୍ରଦର୍ଶନ କରିଛ, ତାହା ପ୍ରଶଂସନୀୟ। ତୁମ ପାଇଁ ମୁଁ ବହୁତ ଖୁସି। ଈଶ୍ୱର ତୁମକୁ ଏବଂ ତୁମ ପରିବାରକୁ ଆଶୀର୍ବାଦ କରନ୍ତୁ। ତୁମ ପରିବାର ନିଶ୍ଚିତ ଭାବରେ ତୁମକୁ ନେଇ ବହୁତ ଗର୍ବିତ ଥିବେ, ଏବଂ ତୁମେ ନିଜେ ମଧ୍ୟ ଏହି ଯାତ୍ରା ପାଇଁ ଗର୍ବ ଅନୁଭବ କରିବା ଉଚିତ। ମୋର ଶୁଭେଚ୍ଛା ସର୍ବଦା ତୁମ ସହିତ ଅଛି। ଅଭିନନ୍ଦନ।’ଗତ ସିଜିନରେ ହ୍ୟାରି କେନ ନିଜ କ୍ଲବ ଏବଂ ଦେଶ ପାଇଁ ମୋଟ ୬୫ଟି ମ୍ୟାଚ ଖେଳି ୭୩ଟି ଗୋଲ ସ୍କୋର କରିଥିଲେ। ବାୟର୍ନ ମ୍ୟୁନିକ୍କୁ ଏକ ଟାଇଟଲ ଜିତାଇବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ‘ବ୍ୟାଲୋନ ଡି’ଅର୍‌’ (Ballon d’Or) ସମ୍ବନ୍ଧୀୟ ସମ୍ମାନ ବ୍ୟତୀତ, ହ୍ୟାରି କେନ ‘ଷ୍ଟ୍ରାଇକର୍‌ ଅଫ ଦ ଇୟର’ (Striker of the Year) ପୁରସ୍କାର ମଧ୍ୟ ଜିତିଛନ୍ତି।

Dharitri – Odisha’s No.1, Most Trusted Odia Daily

Share