Categories: ଖେଳ

ଭାବପ୍ରବଣ ହୋଇଗଲେ ବିରାଟ କୋହଲି

ଲଣ୍ଡନ,୩।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ନଟିଂହାମରେ ଅଗଷ୍ଟ ୪ରୁ ଆରମ୍ଭ ହେବ। ଏହାପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୀନେଶ କାର୍ତ୍ତିକଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଖୋଲାଖୋଲି ନିଜର ଭାବନା ବ୍ୟକ୍ତ କରିଛନ୍ତି। କ୍ରିକେଟ ସୁପରଷ୍ଟାର ହେବା ଠାରୁ ଆରମ୍ଭ କରି ବାପା ହେବା ପର୍ଯ୍ୟନ୍ତ ଜୀବନ, ନେତୃତ୍ୱ ଏବଂ ପ୍ରେମ ବିଷୟରେ ତାଙ୍କ ସହ କଥା ହୋଇଥିଲେ। ବାପାଙ୍କୁ ହରାଇବା ସମ୍ପର୍କିତ ପ୍ରଶ୍ନ ଉପରେ କୋହଲି କହିଛନ୍ତି ଯେ, ସେ ମୋତେ ଭାରତ ପାଇଁ ଖେଳୁଥିବା ଦେଖି ନାହାଁନ୍ତି। କିନ୍ତୁ ବର୍ତ୍ତମାନ ମୋ ଝିଅ ସହିତ, ମୁଁ ମୋ ଖେଳୁଥିବାବେଳେ ମା’ଙ୍କ ମୁହଁରେ ଖୁସି ଦେଖୁଛି। ତୁମେ ଭାବ ତ ଯଦି ବାପା ଏଠାରେ ଥାଆନ୍ତେ ତେବେ କ’ଣ ହୋଇଥାନ୍ତା। ୨୦୦୬ ରେ କୋହଲି ତାଙ୍କ ବାପାଙ୍କୁ ହରାଇଥିଲେ। ତା’ପରେ ସେ ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ ଖେଳୁଥିଲେ। କିଛି ବର୍ଷ ପରେ ସେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ।
ଦୀନେଶ କାର୍ତ୍ତିକ ଏହି ସାକ୍ଷାତକାରର ଟିଜର ଶେୟାର କରିଥିଲେ। ଏଥିରେ ସେ ଅନୁଷ୍କା ଶର୍ମାଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ସମ୍ବନ୍ଧୀୟ କାହାଣୀ ମଧ୍ୟ ବର୍ଣ୍ଣନା କରିଛନ୍ତି। ସେ କହିଥିଲେ ଯେ ମୁଁ ଆରମ୍ଭରୁ ଅନୁଷ୍କାଙ୍କ ସହ ଥଟ୍ଟା କରୁଥିଲି। ବହୁ ବର୍ଷ ଧରି ସମ୍ପର୍କ ରହିବା ପରେ ବିରାଟ ଏବଂ ଅନୁଷ୍କା ଶର୍ମା ୨୦୧୭ରେ ଇଟାଲୀରେ ବିବାହ କରିଥିଲେ। ଚଳିତ ବର୍ଷ ଜାନୁଆରୀରେ ଉଭୟ ଏକ ଝିଅର ମାତାପିତା ହୋଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇଂଲଣ୍ଡରେ ସିରିଜ ଜିତିବା ଭାରତୀୟ କ୍ରିକେଟ ଦଳ ପାଇଁ ଏକ ବଡ଼ କଥା ହେବ। ଆମେ ଏହା ପୂର୍ବରୁ କରିସାରିଛୁ। ବ୍ୟକ୍ତିଗତ ରେକର୍ଡଗୁଡ଼ିକ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି ମୁଁ ମାଇଲଷ୍ଟୋନ ପାଇଁ ଖେଳିଥାନ୍ତି, ମୁଁ ମୋ କ୍ୟାରିୟରରେ ଯାହା ହାସଲ କରିଛି ତାହାର ଅଧା ମଧ୍ୟ ହାସଲ କରି ନ ଥା’ନ୍ତି ବୋଲି ସେ କହିଛନ୍ତି।

Share