Categories: ଖେଳ

ଦୁଇ ବର୍ଷ, ୪୩ ପାଳି; ହେଲେ ଗୋଟିଏ ଶତକ ନାହିଁ: ଜବାବରେ କୋହଲି କହିଲେ…

ନୂଆଦିଲ୍ଲୀ,୨୭।୩: ଭାରତୀୟ ଅଧିନାୟକ ବିରାଟ କୋହଲି ଶୁକ୍ରବାର ପୁଣେରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୬୬ରନ୍‌ କରିଥିଲେ। ସେ ପୁଣି ଥରେ ଶତକ ମାରିବାରୁ ବଞ୍ଚିତ ହୋଇଥିଲେ। ଏଯାବତ ବିରାଟ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୭୦ ଶତକ ମାରିଛନ୍ତି। ହେଲେ ଗତ ୪୩ ପାଳିରେ ସେ ଅର୍ଦ୍ଧଶତକ ମାରୁଥିଲେ ହେଁ ଗୋଟିଏ ବି ଶତକ କରିନାହାନ୍ତି। ତାଙ୍କର ଏଭଳି ପ୍ରଦର୍ଶନକୁ ନେଇ ପ୍ରଶ୍ନ କରାଯିବାରେ କୋହଲି କହିଛନନ୍ତି, ସେ କୌଣସି ବ୍ୟକ୍ତିଗତ ଉପଲବ୍ଧିକୁ ଧ୍ୟାନରେ ରଖି ବ୍ୟାଟିଂ କରନ୍ତି ନାହିଁ। ସେ ଜୀବନରେ କେବେ ବି ଶତକ ପାଇଁ ଖେଳିନାହାନ୍ତି। ସେଥିପାଇଁ ସେ ବହୁତ କମ୍‌ ସମୟରେ ଅଧିକ ରନ୍‌ କରିପାରିଛନ୍ତି। ଦଳର ବିଜୟ ବେଶି ଗୁରୁତ୍ୱପୂର୍ଣ୍ଣ ଥାଏ। ଯଦି ମୁଁ ଶତକ କରେ ଏବଂ ଦଳ ଜିତେ ନାହିଁ ତେବେ ତାହାର ମୂଲ୍ୟ କିଛି ନାହିଁ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ବିରାଟ ୨୦୧୯ ନଭେମ୍ବରରେ କୋଲକାତାରେ ନିଜର ଶେଷ ଶତକ ମାରିଥିଲେ। ବାଂଲାଦେଶ ବିପକ୍ଷରେ ସେ ୧୩୬ରନ୍‌ର ପାଳି ଖେଳିଥିଲେ। ହେଲେ ଏହାକୁ ପାଖାପାଖି ୨ ବର୍ଷ ବିତିଥିଲେ ହେଁ ସେ ଶତକ ମାରିପାରୁନାହାନ୍ତି। ଏଯାବତ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟ କ୍ୟାରିୟରରେ ୨୨ହଜାର ୮୧୧ରନ୍‌ କରିଛନ୍ତି। ସେଥିରେ ୭୦ ଶତକ ରହିଛି। ଦିନିକିଆରେ ସେ ୪୩ ଥର ଶତକ କରିଥିବା ବେଳେ ଟେଷ୍ଟ କ୍ରିକେଟରେ ୨୭ ଶତକ କରିଛନ୍ତି।

Share