ବିରାଟ କୋହଲିଙ୍କ ଝିଅକୁ ବଳାତ୍କାର ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କୁ ବଳାତ୍କାର ଧମକ ଦେଇଥିବା ଯୁବକ ବୁଧବାର ଗିରଫ ହୋଇଛନ୍ତି। ସେହି ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ରାମନାଗେଶ ଅଲିବଥିନି (୨୩) । ହାଇଦ୍ରାବାଦରୁ ମୁମ୍ବାଇର ସାଇବର ସେଲ ପୋଲିସ ରାମନାଗେଶକୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ରାମନାଗେଶ ପେଶାରେ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିଅର।

ଦୁବାଇରେ ଚାଲିଥିବା ଟି-୨୦ ବିଶ୍ୱ କପ୍‌ ମ୍ୟାଚରେ ପାକିସ୍ତାନ ଠାରୁ ଭାରତ ହାରିବା ପରେ ବିରାଟ କୋହଲି ଏବଂ ତାଙ୍କ ପରିବାରକୁ ଧମକ ମିଳିଥିଲା। ଏକ ଅଜଣା ଟୁଇଟ୍‌ର ମାଧ୍ୟମରେ ଭାମିକାଙ୍କୁ ବଳାତ୍କାର କରିବାକୁ ଧମକ ମିଳିଥିଲା। ଟୁଇଟ୍‌ ପରେ ସେ ଆକାଉଣ୍ଟକୁ ଡିଲିଟ୍‌ କରି ଦିଆଯାଇଥିଲା।
ଏହି ଧମକ ଆସିବା ପରେ ଦିଲ୍ଲୀ ମହିଳା କମିଶନ୍‌ ପୋଲିସକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ମହିଳା କମିଶନର ସ୍ବାତୀ ମାଲିୱାଲ ଘଟଣାକୁ ନିନ୍ଦା କରିବା ସହ ଜଣେ ୯ ମାସ ଝିଅକୁ ଧମକ ଦେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଥିଲେ। କୋହଲି ମଧ୍ୟ ଏ ନେଇ ପୋଲିସରେ ଅଭିଯୋଗ କରିଥିଲେ।

Share