ଦେଶର ଅପମାନ କରିନାହିଁ, ଭାରତୀୟ ବୋଲି ମୁଁ ଗର୍ବ କରେ: ବୀର୍‌ ଦାସ

ବମ୍ବେ: ବିବାଦରେ ଅଭିନେତା ତଥା ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ବୀର ଦାସ। ଓ୍ବାଶିଂଟନ ଡିସିରେ ‘ଜନ୍‌ ଏଫ୍‌ କୈନେଡି ସେଣ୍ଟର ଫର୍‌ ଦ ପରଫର୍ମିଂ ଆଟ୍ସ’ରେ ନିଜର ପର୍‌ଫର୍ମାନ୍ସରେ ଭାରତୀୟଙ୍କ ଦୋମୁହାଁ ଚରିତ୍ର ବିଷୟରେ କହିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ବୀରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଚାରିଆଡୁ ଟ୍ରୋଲିଂର ଶିକାର ହେବା ପରେ ଏବେ ସେ ନେଇ ସଫେଇ ଦେଇଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ ଲେଖି ବୀର୍‌ କହିଛନ୍ତି, ମୋର ଉଦ୍ଦେଶ୍ୟ ଦେଶର ଅପମାନ କରିବା ନ ଥିଲା। ଏ ସବୁ ଘଟଣା ସତ୍ତ୍ୱେ ଆମ ଦେଶ ମହାନ ଥିଲା ବୋଲି ମନେପକାଇବାକୁ ଚାହୁଁଥିଲି। ମୁଁ ଗୋଟିଏ ବିଷୟରେ ଭିନ୍ନ ଭିନ୍ନ ବିଚାରଧାରାର ଲୋକଙ୍କ ବିଷୟରେ କହିଥିଲି। ଏହା କୌଣସି ରହସ୍ୟ ନୁହେଁ। ଏହା ସମସ୍ତେ ଜାଣିଛନ୍ତି। ଲୋକମାନେ ଭାରତକୁ ଭଲ ପାଇବା ଦୃଷ୍ଟିରେ ଦେଖିଥାନ୍ତି, ଘୃଣାରେ ନୁହେଁ। ସେମାନେ ଭାରତୀୟଙ୍କ ପାଇଁ ତାଳି ବଜାଇଥାନ୍ତି, ତାଙ୍କର ଇଜ୍ଜତ କରିଥାନ୍ତି। ମୁଁ ମୋ ଦେଶକୁ ନେଇ ଗର୍ବ କରେ। ଏହି ଗର୍ବ ସହ ମୁଁ ମୋ ଜୀବନ ଜିଇଁଥାଏ ବୋଲି ସେ କହିଛନ୍ତି। ଏହାଛଡ଼ା ବୀର ନିଜ ପ୍ରଶଂସକଙ୍କୁ ଛୋଟ ଛୋଟ ଭିଡିଓ ଦେଖି ବେଶି କିଛି ନ ଭାବିବାକୁ କହିଛନ୍ତି।

Share