ନୂଆଦିଲ୍ଲୀ,୧୬।୯: ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ହୋଇଛି । ଆହତ କାରଣରୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଯୁବ ଅଲରାଉଣ୍ଡର ବିପ୍ରଜ ନିଗମଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ରିପୋର୍ଟ ଅନୁସାରେ, ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ରେ ବରୁଣ ସାଇଡ୍ ଷ୍ଟ୍ରେନ୍ରେ ଆହତ ହୋଇଥିଲେ।
ବରୁଣ ଆହତ ହେବା ପରେ ଆଫଗାନିସ୍ତାନ ବିପକ୍ଷ ଚଳିତ ଟି-୨୦ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ଏହାପରେ ତାଙ୍କୁ ଅଧିକ ମୂଲ୍ୟାୟନ ପାଇଁ BCCIର ସେଣ୍ଟର ଅଫ୍ ଏକ୍ସିଲେନ୍ସକୁ ପଠାଯାଇଥିଲା। ଏବେ ସେ ଏସିଆନ୍ ଗେମ୍ସରେ ଖେଳିପାରିବେ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ବରୁଣଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ବିପ୍ରଜ ନିଗମ ଜଣେ ଡାହାଣହାତୀ ଲେଗ୍ ସ୍ପିନର ଏବଂ ବ୍ୟାଟିଂରେ ମଧ୍ୟ ଯୋଗଦାନ ଦେଇପାରନ୍ତି। ସେ IPLରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଛନ୍ତି। ସେ ନିକଟରେ ଇଣ୍ଡିଆ-ଏ ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ବରୁଣଙ୍କ ସ୍ଥାନ ପାଇଁ ବିପ୍ରଜ ଓ କୁଲଦୀପ ଯାଦବଙ୍କ ନାମ ବିଚାରାଧୀନ ଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି ।
ଅପଡେଟ୍ ଦଳରେ ରହିଛନ୍ତି—ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଈଶାନ କିଶନ୍, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବିପ୍ରଜ ନିଗମ, ରବି ବିଷ୍ଣୋଇ, ଜସପ୍ରୀତ ବୁମରାହ, ଯଶ ଠାକୁର, ଅର୍ଶଦୀପ ସିଂହ ଓ ବୈଭବ ସୂର୍ଯ୍ୟବଂଶୀ।ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ଯାଏଁ ଜାପାନରେ ଅନୁଷ୍ଠିତ ହେବ।