ଭିଡିଓ ଭାଇରାଲ ପରେ ଜିଲାରେ ତୀବ୍ର ପ୍ରତିକ୍ରିୟା

ଜୟପୁର,୨ା୯(ନି.ପ୍ର.):ପଦ୍ମଶ୍ରୀ କମଳା ପୂଜାରୀ ଅବିଭକ୍ତ କୋରାପୁଟ ଜିଲାର ଗର୍ବ ଓ ଗୌରବ। ଗତ ୨୪ ତାରିଖରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜୟପୁର ଜିଲା ଚିକିତ୍ସାଳୟରୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା କରିଥିଲେ। ମାତ୍ର କମଳାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଇସିୟୁ ଭିତରେ ତାଙ୍କୁ ଜଣେ ମହିଳା ନଚାଇଥିବା ଜଣାପଡିଛି। ଏହାକୁ ପରଜା ସଂଘ ସମେତ କୋରାପୁଟର ବିଭିନ୍ନ ସଙ୍ଗଠନ ତୀବ୍ର ବିରୋଧ କରିଛନ୍ତି। ଯଦି ଏହି ସମୟରେ କିଛି ଅଘଟଣ ଘଟିଥାନ୍ତା କିଏ ଦାୟୀ ହୋଇଥାନ୍ତା ବୋଲି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ଆଇସିୟୁ ଭିତରକୁ ସମ୍ପୃକ୍ତା ମହିଳା କିପରି କ୍ୟାମେରା ନେଲେ ଏବଂ କମଳାଙ୍କ ନାଚର ଭିଡିଓ କରି ତାହାକୁ ସାମାଜିକ ଗଣ ମାଧ୍ୟମରେ ଛାଡିଲେ ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସ୍‌ସିବି ମେଡିିକାଲ ଆଇସିୟୁକୁୁ କ୍ୟାମେରା ନେବା ବେଳେ ଏହାର କର୍ତ୍ତୃପକ୍ଷ ବାରଣ ନ କରିବା ମେଡିକାଲର ଖାମଖିଆଲ କାର୍ଯ୍ୟକୁ ପଦାରେ ପକାଇଛି। ଅନ୍ୟପକ୍ଷରେ ଗୁରୁବାର ଏସମସ୍ତ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ସେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ ତାଙ୍କ ନାତି ଏବଂ ପ୍ରଶାସନ ପକ୍ଷରୁ ଜଣେ ସ୍ଥାନୀୟ ଯୁବକଙ୍କୁ ପଠାଯାଇଥିଲା। ମେଡିକାଲରେ ଭର୍ତ୍ତି ହେବା ପରେ ସମ୍ପୃକ୍ତା ମହିଳା ଜଣକ ମେଡିକାଲକୁ ଆସି ତାଙ୍କୁ ସାଙ୍ଗ ବୋଲି ସମ୍ବୋଧନ କରି ସେବା ଦେବା ଆଳରେ ତାଙ୍କର ବିଭିନ୍ନ ପ୍ରକାର ଭିଡିଓ ପ୍ରସ୍ତୁତ କରିଥିଲେ। ତାଙ୍କୁ ଜୋର ଜବରଦସ୍ତ ନଚାଇଥିବା ପଦ୍ମଶ୍ରୀ କମଳା କହିଛନ୍ତି। ଏହି ସମୟରେ ପ୍ରଶାସନ ପକ୍ଷରୁ ଯାଇଥିବା ଯୁବକଙ୍କୁ ମଧ୍ୟ ସେ କୋଠରିରୁ ଚାଲିଯିବାକୁ କହିଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସବୁ ଘଟଣା ସ୍ପଷ୍ଟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।