ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି। ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଓ ରାପିଡ୍ ଆକ୍ସନ ଫୋସ୍ (ଆର୍ଏଏଫ୍) ପକ୍ଷରୁ ଲୁହବୁହା ଗ୍ୟାସ୍ ପ୍ରୟୋଗ ସହ ସୀମିତ ବଳ ପ୍ରୟୋଗ କରାଯାଇଥିଲା।
କନ୍ନଟ ପ୍ଲେସ୍ର ଟଲଷ୍ଟୟ ମାର୍ଗ ନିକଟରେ ରାତି ୮ଟା ୩୦ ମିନିଟ ସମୟରେ ହିଂସାକାଣ୍ଡ ଘଟିଥିଲା। ବହୁ ଅସାମାଜିକ ତତ୍ତ୍ୱ ଢେଲା ଓ ବୋତଲରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଆହତ ପୋଲିସଙ୍କୁ ତୁରନ୍ତ ରାମ ମନୋହର ଲୋହିଆ ହସ୍ପିଟାଲକୁ ନିଆଯାଇଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପୋଲିସ କହିବା ଅନୁଯାୟୀ, ଯନ୍ତରମନ୍ତରରୁ ବିକ୍ଷୋଭକାରୀ ଟଲଷ୍ଟୟ ମାର୍ଗ ଯାଇ ହିଂସାକାଣ୍ଡ ଘଟାଇଥିଲେ। ପୋଲିସ ସିଜେପି ନେତା ଓ ଆୟୋଜକମାନଙ୍କୁ ଘଟଣାସ୍ଥଳକୁ ଡାକି ଶାନ୍ତି ରକ୍ଷା ପାଇଁ ଲୋକଙ୍କୁ ନିବେଦନ କରିବାକୁ କହିଥିଲା। ତେବେ ବିକ୍ଷୋଭକାରୀମାନେ ଆୟୋଜକଙ୍କ କଥା ଶୁଣି ନ ଥିଲେ। କେତେଜଣ ବିକ୍ଷୋଭକାରୀ ଲାଠି ଆଣିଥିବାବେଳେ ଅନ୍ୟ କେତେଜଣ ଖଣ୍ଡା ବୁଲାଇବାରୁ ପୋଲିସ ଏବଂ ଆର୍ଏଏଫ୍ ପକ୍ଷରୁ ଲୁହବୁହା ବାଷ୍ପ ପ୍ରୟୋଗ ସହ ସୀମିତ ବଳ ପ୍ରୟୋଗ କରାଯାଇଥିଲା।