ଡ୍ରଗ୍‌ କାର୍ଟେଲ ନେତା ମେଜା ଫ୍ଲୋରେସ୍‌ ଗିରଫ ପରେ ଉତ୍ତର ମେକ୍ସିକୋରେ ହିଂସା: ୧୧ ମୃତ

ଗୁଆସାଭା(ମେକ୍ସିକୋ),୨୩ା୧୧: ଉତ୍ତର ମେକ୍ସିକୋର ସିନାଲୋଆ ପ୍ରଦେଶରେ ଡ୍ରଗ୍‌ କାର୍ଟେଲ ନେତା ଫାଉଷ୍ଟୋ ଇସିଡ୍ରୋ ମେଜା ଫ୍ଲୋରେସ୍‌ ଓରଫ୍‌ ଏଲ୍‌ ଚାପୋ ଇସିଡ୍ରୋଙ୍କୁ କର୍ତ୍ତୃପକ୍ଷ ଗିରଫ କରିବା ପରେ ହିଂସାକାଣ୍ଡ ଘଟି ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମେକ୍ସିକୋ ସୁରକ୍ଷା ବଳ ଏବଂ କାର୍ଟେଲ ବନ୍ଧୁକଧାରୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଏଫ୍‌ବିଆଇର ୧୦ ମୋଷ୍ଟ ଓ୍ବାଣ୍ଟେଡ୍‌ ପଳାତକଙ୍କ ମଧ୍ୟରୁ ଅନ୍ୟତମ ଫ୍ଲୋରେସ୍‌ଙ୍କୁ ଗିରଫ କରାଯାଇଛି। ଗୁଆସାାଭ ସହରର ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ବହୁ ଟ୍ରକ୍‌ ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଜାଳିଦିଆଯାଇଛି।
ଗୁଳିବିନିମୟ ବେଳେ ୭ ଜଣ କାର୍ଟେଲ ବନ୍ଧୁକଧାରୀ ଓ ୪ ଜଣ ମେକ୍ସିକୋ ସୈନ୍ୟ ନିହତ ହୋଇଥିବା ଦେଶର ପ୍ରତିରକ୍ଷା କ୍ୟାବିନେଟ୍‌ ପକ୍ଷରୁ କୁହାଯାଇଛି। ଫ୍ଲୋରେସ୍‌ ବିଭିନ୍ନ କାର୍ଟେଲ ର଼୍ୟାଙ୍କ ଅତିକ୍ରମ କରି ତାଙ୍କ ନିଜ ସଂଗଠନ ମେଜା ଫ୍ଲୋରେସ୍‌ ଟ୍ରାଞ୍ଜିଶନାଲ କ୍ରିମିନାଲ ଅର୍ଗାନାଇଜେଶନ୍‌ର ନେତା ହୋଇଥିଲେ। ତାଙ୍କୁ ଧରାଇଦେଲେ ୫ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ଆମେରିକା ଘୋଷଣା କରିଥିଲା। ଆମେରିକାକୁ ନିଶାଦ୍ରବ୍ୟ ଚୋରା ଚାଲାଣ ଏବଂ ବେଆଇନ ଅସ୍ତ୍ର ଚାଲାଣ ଅପରାଧରେ ସେ ଓ୍ବାଣ୍ଟେଡ୍‌ ତାଲିକାରେ ଥିଲେ।
ଫ୍ଲୋରେସ୍‌ଙ୍କୁ ଧରିବାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନର ଗୋଇନ୍ଦା ତଥ୍ୟ ସହାୟକ ହୋଇଥିଲା। ସେ ଲସ୍‌ ମାୟୋସ୍‌ ଗୋଷ୍ଠୀର ମଧ୍ୟ ଜଣେ ମୁଖ୍ୟ ସହଯୋଗୀ ଥିଲେ, ଯାହା ସିନାଲୋଆ କାର୍ଟେଲର ଏକ ଗୋଷ୍ଠୀ।

Dharitri – Odisha’s No.1 Odia Daily

Share