ମଣିପୁରରେ ନିର୍ବାଚନୀ ହିଂସା, ଜଣେ ମୃତ

ଇମ୍ଫାଲ,୫।୩: ମଣିପୁରର ୨୨ଟି ବିଧାନସଭା ଆସନ ପାଇଁ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ସକାଳୁ ଭୋଟରମାନେ ଲମ୍ବା ଲାଇନ୍‌ରେ ଆସି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଇତିମଧ୍ୟରେ କରୋଙ୍ଗ ବିଧାନସଭା ଆସନରେ ନିର୍ବାଚନୀ ହିଂସା ଘଟିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଭୋଟ ଦେବା ସମୟରେ ହିଂସା ଘଟିବାରୁ ସୁରକ୍ଷାକର୍ମୀ ଗୁଳି ଚଳାଇଥିଲେ। ସେହି ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେହିପରି ଇମ୍ଫାଲର ପଶ୍ଚିମ ଜିଲାର ଲାମ୍ପେଲ ଅଞ୍ଚଳରେ କିଛି ଦୁର୍ବୃତ୍ତ ଭାଜପା ନେତା ସି. ବିଜୟଙ୍କ ବାସଭବନରେ ଉପରେ ବୋମା ଫିଙ୍ଗିଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା ମୁତାବକ, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ଦୁଇ ଚକିଆ ଯାନରେ ଆସି ଏହି ବିସ୍ଫୋରଣ ଘଟାଇଥିଲେ। ତେବେ ଏଥିରେ କେହି ଆହତ ହୋଇ ନ ଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ, ମଣିପୁରରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ୧୦ଟି ଜିଲାର ୨୨ଟି ଆସନରେ ଭୋଟଗ୍ରହଣ ଚାଲିଛି। ୯୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ତେବେ ସକାଳ ୧୧ଟା ପର୍ଯ୍ୟନ୍ତ ମଣିପୁରରେ ୨୮.୨୦ ପ୍ରତିଶତ ମତଦାନ ହୋଇଛି। ଯାହା ୨୦୧୭ ତୁଳନାରେ ୧୬.୮୦ ପ୍ରତିଶତ କମ୍‌।

Share