ହିଂସା ଓ ପ୍ରତିହିଂସା

ଅଧ୍ୟାପକ ଗୋପବନ୍ଧୁ

 

ହିଂସାରୁ ଜାତ ପ୍ରତିହିଂସା। ପ୍ରତିହିଂସା ହେଉଛି ହିଂସାର ପ୍ରତିକ୍ରିୟା। ଘୃଣା, ବିଦ୍ୱେଷ ଓ ଅସହିଷ୍ଣୁତାରୁ ହିଂସାଭାବ ଜାତ ହୁଏ। ପୁଣି ହିଂସାରୁ ପ୍ରତିହିଂସା ଜାତହୁଏ ଏବଂ ଏ ପ୍ରକ୍ରିୟା ଆଗକୁ ବଢ଼ିଚାଲେ। ଏହା ହଠାତ୍‌ ସମାପ୍ତ ହୁଏ ନାହିଁ। କ୍ରମେ ସଂକ୍ରମିତ ହୋଇ ଆହୁରି ବଢ଼େ। ସାମାଜିକ ପରିବେଶ ଏପରି ଭାବନାକୁ ମନୁଷ୍ୟର ମନରେ ରୋପିତକରେ। କ୍ରମେ ତାହା ଦାନାବାନ୍ଧେ ଏବଂ ସମସାମୟିକ ପରିସ୍ଥିତି ଏହାକୁ ଆହୁରି ପରିବ୍ୟାପ୍ତ ଓ ପରିପକ୍ବ କରେ। ହିଂସା ଓ ପ୍ରତିହିଂସା ଯେତେବେଳେ ସାମାଜିକ ଚେତନାର ରୂପନିଏ ଏହା ପିଢ଼ି ପରେ ପିଢ଼ି ଉଜ୍ଜୀବିତ ରହେ। ଏପରି ଭାବନାକୁ ପବନ ଦେବାରେ ପରିବାର, ଜାତି, ଧର୍ମ ଓ କେତେକ କ୍ଷେତ୍ରରେ ଶିକ୍ଷାବ୍ୟବସ୍ଥା ଆଦୌ ଅବହେଳା କରେନାହିଁ। ରାଜନୈତିକ ପରିବେଶ ଯେତେବେଳେ ଏପରି ପରିସ୍ଥିତିରୁ ଫାଇଦା ନେବାକୁ ଚେଷ୍ଟାକରେ ସେତେବେଳେ ଏହା ରାଷ୍ଟ୍ରୀୟ ରୂପରେଖ ଧାରଣକରେ ଏବଂ ରାଷ୍ଟ୍ର ହିଂସାବାଦର ପୃଷ୍ଠପୋଷକ ବନିଯାଏ।
ପ୍ରାରମ୍ଭିକ ଅବସ୍ଥାରେ ଏପରି ପରିସ୍ଥିତି ରାଜନୈତିକ ଫାଇଦା ଦିଏ। ଯେତେବେଳେ ନିୟନ୍ତ୍ରଣ ବାହାରକୁ ଚାଲିଯାଏ ସେତେବେଳେ ଏହା ଭୟଙ୍କର ରୂପ ଧାରଣକରେ। ବାଘ ପିଞ୍ଜରା ଭିତରେ ଥିବା ପର୍ଯ୍ୟନ୍ତ ନିୟନ୍ତ୍ରଣରେ ଥାଏ। ପିଞ୍ଜରାରୁ ବାହାରିଗଲେ ତାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯାଏ। ଠିକ୍‌ ସେହିପରି ନିଜ ସ୍ବାର୍ଥପାଇଁ ଯେଉଁ ହିଂସାର ମଞ୍ଜି ବୁଣାଯାଏ, ତାହା କ୍ଷିପ୍ରଭାବେ ବଂଶ ବିସ୍ତାରକରେ ଓ ପର୍ଯ୍ୟାୟକ୍ରମେ ନିୟନ୍ତ୍ରଣ ବାହାରକୁ ଚାଲିଯାଏ। ପୁଣି ଏହାକୁ ନିୟନ୍ତ୍ରିତ କରିବାପାଇଁ କଷ୍ଟସାଧ୍ୟ ଓ ସମୟସାପେକ୍ଷ ହୁଏ।
ଭାରତବର୍ଷରେ ଧାର୍ମିକ ଓ ଜାତିଗତ ବିଦ୍ବେଷର ମଞ୍ଜି ବହୁପୂର୍ବରୁ ବୁଣାହୋଇଛି। ସାଧୀନତା ପରେ ଏହାର ମୂଳୋତ୍ପାଟନ ହେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏବେ ଏହା ନୂତନ ରୂପରେ ଓ ନୂତନ ଢଙ୍ଗରେ କାୟା ବିସ୍ତାର କରୁଛି। ରାଜନୀତି ଏଦିଗରେ ମୁଖ୍ୟଭୂମିକା ଗ୍ରହଣ କରିଛି। ଶାନ୍ତି, ମୈତ୍ରୀ, ସମାନତା, ମାନବତା, ପ୍ରଗତିଶୀଳତା ପ୍ରଭୃତି ମହନୀୟ ଗୁଣକୁ ଆଧାରକରି ରାଜନୀତି କରିବା ପରିବର୍ତ୍ତେ ହିଂସା-ପ୍ରତିହିଂସା, ଘୃଣା-ଦ୍ୱେଷ, ଭଙ୍ଗା-ରୁଜା, ଗାଳି-ଗୁଲଜ, ରାଗ-ପ୍ରତିଶୋଧର ରାଜନୀତି ଆରମ୍ଭ ହୋଇଛି। ବିକାଶ ପରିବର୍ତ୍ତେ ଧାର୍ମିକ ଉନ୍ମାଦନା ସୃଷ୍ଟିକୁ ମୁଖ୍ୟ ବିଷୟଭାବେ ଗ୍ରହଣ କରାଯାଉଛି। ଧାର୍ମିକ ବିଦ୍ବେଷର ମଞ୍ଜିବୁଣି ଧର୍ମ ଆଧାରରେ ଭୋଟର ଧ୍ରୁବୀକରଣ ପାଇଁ ପ୍ରୟାସ ହେଉଛି। ହିନ୍ଦୁ, ମୁସଲମାନ ଓ ଶିଖ୍‌ ଭୋଟର ଏକତ୍ରୀକରଣ ପାଇଁ ଚେଷ୍ଟା ହେଉଛି। ଏଥିପାଇଁ ଧାର୍ମିକ ବିଦ୍ୱେଷ ବିଷୟ ଖୋଜା ହେଉଛି ଓ ଲୋକଙ୍କ ମଧ୍ୟରେ ବଣ୍ଟା ହେଉଛି। ଧାର୍ମିକ ମଞ୍ଚରୁ ଗୋଟିଏ ଧର୍ମର ବଡ଼ବଡ଼ିଆମାନେ ଅନ୍ୟ ଧର୍ମର ଲୋକଙ୍କୁ ଗାଳି ଦେଉଛନ୍ତି। ରାଜନୈତିକ ମଞ୍ଚରୁ ମଧ୍ୟ ଧର୍ମ ଭିତ୍ତିରେ ଗାଳିଗୁଲଜ ହେଉଛି। ସମାଜରେ, ପରିବାରରେ, ଚା’ ଖଟିରେ ବି ଧାର୍ମିକ ଓ ଜାତିଗତ ବିଦ୍ୱେଷ ସୃଷ୍ଟି କରାଯାଉଛି। ଶିଶୁଟି ଜନ୍ମରୁ ଭିନ୍ନଧର୍ମ ଓ ଜାତି ପ୍ରତି ଧାର୍ମିକ ଏବଂ ଜାତିଗତ ଘୃଣା ଶୁଣି ଶୁଣି ବଢୁଛି।
ଧର୍ମଭିତ୍ତିକ ରାଜନୈତିକ ଦଳ ଓ ଧାର୍ମିକ କଟ୍ଟରବାଦୀ ସଂଗଠନ ଯୋଗୁ ଧାର୍ମିକ ମୌଳବାଦ ବଢୁଛି। ଜାତି ଆଧାରରେ ଦଳିତମାନଙ୍କୁ ନିର୍ଯାତନା ଦିଆଯାଉଛି। ଯେଉଁଠାରେ ହିଂସା ଅଛି ସେଠାରେ ପ୍ରତିହିଂସା ମଧ୍ୟ ଅଛି। ନିଉଟନଙ୍କ ନିୟମ ଅନୁସାରେ ପ୍ରତ୍ୟେକ କ୍ରିୟାର ସମାନ ପ୍ରତିକ୍ରିୟା ରହିଛି। ତୁମେ ଯଦି ହିଂସା କରୁଛ ତେବେ ତୁମକୁ ପ୍ରତିହିଂସାର ସମ୍ମୁଖୀନ ହେବାପାଇଁ ପ୍ରସ୍ତୁତ ରହିବାକୁ ହେବ। ଏବେ ଦେଶରେ ଯେଉଁ ଧାର୍ମିକ ହିଂସା ଅନୁଷ୍ଠିତ ହେଉଛି ତାହାର ସୃଷ୍ଟି ତତ୍‌କ୍ଷଣାତ ନୁହେଁ, ଏହା ଦୀର୍ଘ ମାନସିକତାର ପ୍ରତିଫଳନ। ଧର୍ମ ଓ ଜାତିକୁ ନେଇ ଯେଉଁ ହିଂସାତ୍ମକ ଚେତନା ସମାଜରେ ଘୂରିବୁଲୁଛି, ତାହା ବେଳେବେଳେ କର୍ମରେ ପ୍ରକାଶିତ ହୁଏ। ଫଳରେ ହତ୍ୟା, ଗଣହତ୍ୟା, ମବ୍‌ ଲିନଚିଂ, ସାମ୍ପ୍ରଦାୟିକ ଦଙ୍ଗା, ଧର୍ମାନୁଷ୍ଠାନ ପୋଡ଼ାଜଳା, ଧର୍ମ ଓ ଜାତିକୁ ନେଇ ଗାଳିଗୁଲଜ ଇତ୍ୟାଦି ସମ୍ମୁଖକୁ ଆସୁଛି। ନିକଟରେ ରାଜସ୍ଥାନର ଉଦୟପୁରରେ ହୋଇଥିବା ଜଘନ୍ୟ ହତ୍ୟା ମଧ୍ୟ ଏହାର ପ୍ରତିଫଳନ। ଦୁଇଜଣ ଭିନ୍ନ ସମ୍ପ୍ରଦାୟର ଯୁବକ ନନ୍ଦଲାଲକୁ ହତ୍ୟା କରିବା, ନନ୍ଦଲାଲ ନୂପୁର ଶର୍ମାର ସପକ୍ଷରେ ସାମାଜିକ ଗଣମାଧ୍ୟମରେ ଲେଖିବା, ନୂପୁର ଶର୍ମା ଦୂରଦର୍ଶନ ଆଲୋଚନାରେ ଇସଲାମ ଧର୍ମଗୁରୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା, ସେ କୋଉଠୁ ନା କୋଉଠୁ ଏ ବିଷୟରେ ଶିକ୍ଷାଲାଭ କରିବା, ପ୍ରତିପକ୍ଷ ମଧ୍ୟ ତାଙ୍କୁ ଉସୁକାଇବା, ସାମାଜିକ ପ୍ରତିକ୍ରିୟାକୁ ସେମାନେ ଦୂରଦର୍ଶନରେ ରଖିବା ଇତ୍ୟାଦି ସମସ୍ତ ବିଷୟ ଗୋଟିଏ ଲମ୍ବା ଶିକୁଳିର ଗୋଟିଏ ଗୋଟିଏ କଡି ମାତ୍ର।
ଏ ସମସ୍ତ ପାଇଁ କାହାକୁ ଦାୟୀ କରାଯିବା ଉଚିତ ? ଯିଏ ପରଦାର ସମ୍ମୁଖରେ ହିଂସା ପ୍ରଦର୍ଶନ କରୁଛି ସିଏ ନା ଯିଏ ଏଥିପାଇଁ ସମାଜରେ ବିଷମଞ୍ଜି ବୁଣିଆସିଛି ସିଏ? ପ୍ରକୃତପକ୍ଷେ ଉଭୟେ ଦାୟୀ। ଯେଉଁ ରାଜନୈତିକ ଦଳ ଓ ସଂଗଠନଗୁଡ଼ିକ ଏହି ମାନସିକତାର ପୃଷ୍ଠପୋଷକତା କରିଆସିଛନ୍ତି ସେମାନେ ଅଧିକ ମାତ୍ରାରେ ଦାୟୀ। ଯେଉଁ ଗଣମାଧ୍ୟମଗୁଡ଼ିକ ବିଶେଷକରି ଚାନେଲଗୁଡ଼ିକ ଦିନରାତି ଘୃଣାର ମଞ୍ଜି ବୁଣି ଚାଲିଛନ୍ତି, ସେମାନେ ମଧ୍ୟ ଖସିଯାଇପାରିବେ ନାହିଁ।
ମନେରଖିବାକୁ ହେବ ଯେ ଗଣତନ୍ତ୍ରରେ ହିଂସାର ବିଜୟ ଅସମ୍ଭବ। କାରଣ ଗୋଟିଏ ହିଂସା ଆଉ ଗୋଟିଏ ହିଂସାକୁ ଜନ୍ମଦେବ। ଇତିହାସ ହେଉଛି ମୂକସାକ୍ଷୀ ଯେ ହିଂସା ସୃଷ୍ଟିକାରୀ ଦିନେ ନିଜେ ହିଂସାର ଶିକାର ହୁଏ। ରାଜନୈତିକ ଲାଭପାଇଁ ଧାର୍ମିକ ବିଦ୍ବେଷର ଯେଉଁ ସାହାରା ନିଆଯାଉଛି ତାହା ଦିନେ ବୁମେରାଂ ହେବ। କାରଣ ବିଦ୍ୱେଷ ବିଭିନ୍ନ ରୂପରେ ତିଆରି ହେବ। ଯିଏ ବିଦ୍ୱେଷ ବାଣ୍ଟୁଛି ତା’ ବିରୋଧରେ ବି କାଲି ବିଦ୍ୱେଷ ତିଆରି ହେବ। ଏହାଛଡ଼ା ନିଜର ଫାଇଦା ପାଇଁ ଯେଉଁ ଭିଡ଼ତନ୍ତ୍ର ତିଆରି କରାଯାଉଛି ହିଂସାପାଇଁ, ଦିନ ଆସିବ ସେହି ଭିଡ଼ ନିୟନ୍ତ୍ରଣର ବାହାରକୁ ଚାଲିଯିବ। ସେତେବେଳେ ଏଇମାନେ ହିଁ ଭଷ୍ମାସୁର ବନିଯିବେ। ଏହି ଅବସ୍ଥା ଆସିଲା ବେଳକୁ ଦେଶରେ ଅରାଜକତା ଚରମସୀମାରେ ପହଞ୍ଚତ୍ ସାରିଥିବ।
(ଅବସରପ୍ରାପ୍ତ, ଦର୍ଶନ ବିଭାଗ)
ବାରିପଦା, ମୟୂରଭଞ୍ଜ
ମୋ: ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri