Categories: ଜାତୀୟ

ମହିଳା ନିର୍ଯାତନା, ଉତ୍ତରପ୍ରଦେଶ ଆଗରେ-ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୮।୨ : ଅଲୱାରରେ ନାବାଳିକା ହୁଅନ୍ତୁ କିମ୍ବା ଉତ୍ତରପ୍ରଦେଶର ମହିଳା ହୁଅନ୍ତୁ, ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାର ମାମଲା ସାମ୍ନାକୁ ଆସୁଛି। ଏହି କ୍ରମରେ ଜାତୀୟ ମହିଳା ଆୟୋଗ ଦ୍ୱାରା ୨୦୨୧ରେ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନାର ଏକ ତାଲିକା ପ୍ରକାଶିତ ହୋଇଛି। ଏହି ତାଲିକାରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଦିଲ୍ଲୀ ଦ୍ୱିତୀୟ ଏବଂ ରାଜସ୍ଥାନ ଷଷ୍ଠ ସ୍ଥାନରେ ରହିଛି।

ଜାତୀୟ ମହିଳା ଆୟୋଗ ଦ୍ୱାରା ବର୍ଷସାରା ଗ୍ରହଣ କରାଯାଇଥିବା ଅଭିଯୋଗ ଆଧାରରେ ପ୍ରକାଶିତ ଏହି ରିପୋର୍ଟରେ ଘରୋଇ ହିଂସା, ସମ୍ମାନର ଅପମାନ, ନିର୍ଯାତନା, ବଳାତ୍କାର ଭଳି ବହୁ ପ୍ରକାରର ମାମଲା ଅନ୍ତର୍ଭୁକ୍ତ କରାଯାଇଛି।

ରିପୋର୍ଟରେ ଦେଶର ୮ଟି ରାଜ୍ୟ ମହିଳା ନିର୍ଯାତନା କ୍ଷେତ୍ରରେ ଅଗୁଆ ରହିଥିବା ଦର୍ଶାଯାଇଛି। ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶରେ ୨୦୨୧ରେ ୧୫,୮୨୮ ଅଭିଯୋଗ ଦାଖଲ କରାଯାଇଥିବା ଉଲ୍ଲେଖ କରାଯାଇଛି। ସେହିପରି ଦିଲ୍ଲୀ ୩,୩୩୬ ଅଭିଯୋଗ ସହିତ ମହିଳା ନିର୍ଯାତନା ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି।

ସେହିପରି ମହାରାଷ୍ଟ୍ରରେ ୧,୫୦୪, ହରିୟାଣାରେ ୧,୪୬୦, ବିହାରରେ ୧,୪୫୭, ରାଜସ୍ଥାନରେ ୧,୧୩୦, ମଧ୍ୟପ୍ରଦେଶରେ ୧,୧୦୫ ଏବଂ ପଶ୍ଚିମବଙ୍ଗରେ ୭୩୪ ଏସମ୍ପର୍କିତ ମାମଲା ରୁଜୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share