Categories: ଜାତୀୟ

ବିଚାରାଧୀନ କଏଦୀଙ୍କ ପୋଷାକ ଓହ୍ଲାଇ ତଲାସୀ ନେବା ଅଧିକାରର ଉଲ୍ଲଂଘନ: କୋର୍ଟ…

ମୁମ୍ବାଇ,୧୫।୪ : ମୁମ୍ବାଇର ଏକ ସ୍ବତନ୍ତ୍ର ଅଦାଲତ କହିଛନ୍ତି, ବିଚାରାଧୀନ କଏଦୀଙ୍କ ପୋଷାକ ଓହ୍ଲାଇ ତଲାସୀ ନେବା ଅଧିକାରର ଉଲ୍ଲଂଘନ॥ ଏହା କଏଦୀଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି। ବନ୍ଦୀମାନଙ୍କ ତଲାସୀ ପାଇଁ ସ୍କାନର ଏବଂ ବୈଷୟିକ ଉପକରଣ ବ୍ୟବହାର କରିବାକୁ ଜେଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଅଭିଯୁକ୍ତ ଅହମ୍ମଦ କମଲ ଶେଖ ବିଚାରାଧୀନ କଏଦୀଙ୍କ ପୋଷାକ ଓହ୍ଲାଇ ତଲାସୀ ନେବା ବିରୋଧରେ ଏକ ପିଟିଶନ ଦାଖଲ କରିଥିଲେ।

 

ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ ଆକ୍ଟ ର ବିଶେଷ ବିଚାରପତି ବିଡି ଶେଲକେ, ଏହି ନିର୍ଦ୍ଦେଶ ଦେଇଛନ୍ତି।ଅହମ୍ମଦ କମଲ ଶେଖ ଦାବି କରିଛନ୍ତି, ଯେତେବେଳେ ବି କୋର୍ଟର ଶୁଣାଣି ପରେ ତାଙ୍କୁ ଜେଲକୁ ନିଆଯାଉଥିଲା, ସେତେବେଳେ ତାଙ୍କୁ ଜେଲର ସୁରକ୍ଷାକର୍ମୀମାନେ ପୋଷାକ ଓହ୍ଲାଇ ତଲାସୀ ନେଉଛନ୍ତି। ଅଭିଯୋଗ ହୋଇଛି, ତାଙ୍କୁ ଅନ୍ୟ ଅନ୍ତେବାସୀ ଏବଂ ଜେଲ କର୍ମଚାରୀଙ୍କ ସାମ୍ନାରେ ଉଲଗ୍ନ କରାଯାଇଛି।

ଏହି ଅଭ୍ୟାସ ଲଜ୍ଜାଜନକ ହେବା ସହିତ ତାଙ୍କ ଅଧିକାରର ଉଲ୍ଲଂଘନ ବୋଲି ଆବେଦନରେ କୁହାଯାଇଛି। ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ ଯେତେବେଳେ ସେ ଏହାକୁ ବିରୋଧ କରନ୍ତି ସେତେବେଳେ ତାଙ୍କୁ ଜେଲର ସୁରକ୍ଷା କର୍ମୀମାନେ ଦୁର୍ବ୍ୟବହାର କରନ୍ତି। ତେବେ ମୁମ୍ବାଇ ଜେଲ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଅସ୍ବୀକାର କରି କହିଛନ୍ତି, ଏପରି ଘଟଣା ଘଟିନାହିଁ। ଜେଲ ପ୍ରଶାସନ ଉପରେ ଚାପ ପକାଇବାକୁ ଏହା କେବଳ ଏକ ପ୍ରୟାସ ।

ଉଭୟ ପକ୍ଷର ଶୁଣାଣି ପରେ କୋର୍ଟ କହିଛନ୍ତି ଯେ ଆବେଦନକାରୀଙ୍କ ଅଭିଯୋଗରେ କିଛି ସତ୍ୟତା ଅଛି କାରଣ ଅନ୍ୟ ଅନେକ ଅଭିଯୁକ୍ତ ମଧ୍ୟ କୋର୍ଟରେ ସମାନ ଅଭିଯୋଗ କରିଛନ୍ତି। ଏହା ମଧ୍ୟ ଲଜ୍ଜାଜନକ ଅଟେ । ବନ୍ଦୀମାନଙ୍କ ତଲାସୀ ପାଇଁ ବୈଷୟିକ ଉପକରଣ, ସ୍କାନର ଇତ୍ୟାଦି ବ୍ୟବହାର କରିବାକୁ କୋର୍ଟ କେନ୍ଦ୍ରୀୟ ଜେଲର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ସ୍କାନର୍‌ ଇତ୍ୟାଦି ପାଇଁ କୌଣସି ବ୍ୟବସ୍ଥା ନାହିଁ, ତେବେ ହାତରେ ସର୍ଚ୍ଚ କରାଯାଇପାରିବ, କିନ୍ତୁ ଏହି ସମୟ ମଧ୍ୟରେ କଏଦୀ ଲଜ୍ଜିତ ହେବା ଉଚିତ ନୁହେଁ ଏବଂ ତାଙ୍କ ସହ ଅସଦାଚରଣ କରାଯିବା ଉଚିତ ନୁହେଁ।

Share