ସୂଚନା ଅଧିକାର ଆଇନ ଉଲ୍ଲଂଘନ: ପ୍ରଥମ ଅପିଲ୍‌ ପରେ ବି ମିଳୁନି ସୂଚନା

କର୍ଲାମୁଣ୍ଡା,୧୮ା୬(ପ୍ରଦୀପ କୁମାର ସାହୁ): ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବା, ଦୁର୍ନୀତି କମାଇବା, ଜନସାଧାରଣଙ୍କୁ ଅଧିକାର ଦେବା ତଥା ଲୋକେ ସରକାରୀ କାର୍ଯ୍ୟ, ଯୋଜନା, ଫାଇଲ ଅବସ୍ଥା, ଖର୍ଚ୍ଚ ବିବରଣୀ ଆଦି ପାଇବା ଉଦ୍ଦେଶ୍ୟରେ ୨୦୦୫ରେ ସୂଚନା ଅଧିକାର ଆଇନ ତିଆରି ହୋଇଥିଲା। ସୂଚନା ମାଗିବାର ୩୦ ଦିନ ଭିତରେ ତଥ୍ୟ ପ୍ରଦାନ କରିବାକୁ ଏହି ଆଇନରେ ଉଲ୍ଲେଖ ରହିଛି। ତେବେ ଏହି ଆଇନକୁ ଖୁଲମଖୋଲା ଭାବେ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ଭବାନୀପାଟଣା ରାମନଗର ପଡ଼ାର ଯୁବ ସମାଜସେବୀ ଚିନ୍ମୟ ମିଶ୍ର ଏହି ବ୍ଲକରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଣ୍ଠି ବିନିଯୋଗରେ ଅନିୟମିତତା ହେଉଥିବା ଲୋକଙ୍କଠାରୁ ଖବର ପାଇ ଏହାର ସତ୍ୟତା ଜାଣିବା ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ପକ୍ଷରୁ ୨୦୨୫/୨୬ ଅର୍ଥିକ ବର୍ଷରେ କର୍ଲାମୁଣ୍ଡା ପଞ୍ଚାୟତ ସମିତିରେ ହୋଇଥିବା ସମସ୍ତ ପ୍ରକଳ୍ପ ଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ପ୍ରକଳ୍ପଗୁଡିକ କେଉଁ କେଉଁ ଆଧାରରେ ଚୟନ ହୋଇଛି, ସେ ସବୁର ବିସ୍ତୃତ ବିବରଣୀ, କର୍ଲାମୁଣ୍ଡା ବ୍ଲକର କେଉଁ କେଉଁ ପଞ୍ଚାୟତର କେଉଁ କେଉଁ ଗାଁର କେଉଁ ସବୁ ସ୍ଥାନରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଅନୁଦାନ ପାଣ୍ଠି ବିନିଯୋଗ ହୋଇଛି, ସେ ସବୁ ପ୍ରକଳ୍ପଗୁଡିକର ନିର୍ମାଣ ହୋଇଥିବା ସ୍ଥାନର କିସମ, ସ୍କେଚ ମ୍ୟାପ, ଆର୍‌ଓଆର୍‌, ଓ ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଜମି କିସମର ବିବରଣୀ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ କର୍ଲାମୁଣ୍ଡା ବ୍ଲକରେ ବର୍ତ୍ତମାନ ସୁଦ୍ଧା କେତୋଟି ପ୍ରକଳ୍ପ କେଉଁ କେଉଁ ସ୍ଥାନରେ ସମ୍ପୂର୍ଣ୍ଣ ହୋଇଛି, ସେ ସବୁଗୁଡ଼ିକର କାର୍ଯ୍ୟ ଆରମ୍ଭ ବେଳର ଫଟୋ ଓ ସମ୍ପୂର୍ଣ୍ଣ ବେଳର ଫଟୋ ବିକଶିତ ଗାଁ ବିକଶିତ ଓଡ଼ିଶା ପକ୍ଷରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ ଖର୍ଚ୍ଚ ହୋଇଥିବା ସମସ୍ତ ଖର୍ଚ୍ଚର ବିବରଣୀ ଯଥା ପ୍ରକଳ୍ପର ଏଷ୍ଟିମେଟ୍‌ କପି, ଏମ୍‌ବି ବୁକ୍‌, ସମସ୍ତ ବିଲ୍‌ ଭଉଚର୍‌ର ଅବିକଳ ନକଲ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକରେ କେଉଁ କେଉଁ ଭେଣ୍ଡରମାନଙ୍କୁ ପେମେଣ୍ଟ କରାଯାଇଛି, ସେ ସବୁ ଭେଣ୍ଡରମାନଙ୍କ GST ନମ୍ବର ଓ GST ଷ୍ଟାଟସ୍‌ ରିପୋର୍ଟଗୁଡିକ ପାଇବା ପାଇଁ ସୂଚନା ଅଧିକାର ଆଇନ ବଳରେ ୨୩ ମାର୍ଚ୍ଚ ୨୦୨୬ରେ କର୍ଲାମୁଣ୍ଡା ଲୋକ ସୂଚନା ଅଧିକାରୀଙ୍କ ନିକଟରେ ସୂଚନା ପାଇବା ପାଇଁ ଆବେଦନ କରିଥିଲେ। ତେବେ ଲୋକ ସୂଚନା ଅଧିକାରୀ ୩୦ ଦିନ ଭିତରେ ତଥ୍ୟ ଦେଇ ନ ପାରିବାରୁ ମିଶ୍ର ପୁଣି ଥରେ ୪.୫.୨୬ରେ ବିଡିଓଙ୍କ ଠାରେ ପ୍ରଥମ ଅପିଲ କରିଥିଲେ। ଏଥିରେ କର୍ଲାମୁଣ୍ଡା ପଞ୍ଚାୟତ ସମିତିପତ୍ର ସଂଖ୍ୟା ୧୦୮୧, ତାରିଖ ୨୨.୫.୨୬ରେ ୩୦.୫.୨୬ରେ ଶୁଣାଣି କରାଯିବାକୁ ଚିଠିରେ ଉଲ୍ଲେଖ କରିଥିଲେ।

ତଦନୁସାରେ ସୂଚନାକର୍ମୀ ଧାର୍ଯ୍ୟ ତାରିଖ, ସମୟରେ ବିଡିଓଙ୍କ କାର୍ଯ୍ୟାଳୟଠାରେ ଉପସ୍ଥିତ ହୋଇଥିଲେ ହେଁ ସେହିଦିନ କୌଣସି ତଥ୍ୟ ନ ଦେଇ ପଞ୍ଚାୟତ ସମିତି ମେମୋ ନମ୍ବର୍‌ ୧୧୫୪, ତାରିଖ ୧.୬.୨୬ରେ ୭ ଦିନ ଭିତରେ ସୂଚନା ପ୍ରଦାନ କରାଯିବ ବୋଲି ଏକ ଚିଠି ମିଶ୍ରଙ୍କୁ ପ୍ରଦାନ କରଯାଇଥିଲା। ତେବେ ପ୍ରଥମ ଅପିଲର ୧୮ ଦିନ ବିତିଥିଲେ ହେଁ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରି ନ ଥିବା ଚିନ୍ମୟ ମିଶ୍ର ଅଭିଯୋଗ କରିଛନ୍ତି। ସେ ରାଜ୍ୟ ସୂଚନା କମିଶନରଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share