୨୦୨୭ ନିର୍ବାଚନ ପାଇଁ ଭାଜପାର ମାଷ୍ଟରପ୍ଲାନ୍‌: ବିରୋଧୀ ମହଲରେ ହଟଚମଟ

ନୂଆଦିଲ୍ଲୀ, ୧୮।୮: ଭାଜପା ଉତ୍ତର ପ୍ରଦେଶରେ ସଂଗଠନର ଦାୟିତ୍ୱ ବରିଷ୍ଠ ନେତା ବିନୋଦ ତାୱଡେଙ୍କୁ ଦେଇଛି। ତାଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ନିଯୁକ୍ତ କରାଯାଇଛି। ଏଥିରୁ ସଙ୍କେତ ମିଳୁଛି ଯେ, ୨୦୨୭ର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ସଂଗଠନକୁ ମଜବୁତ କରିବା ଉପରେ ଜୋର୍‌ ଦେଉଛି। ୧୭ ଅଗଷ୍ଟ ୨୦୨୬ରେ ଭାଜପାର ଜାତୀୟ ମହାସଚିବ ତଥା ରାଜ୍ୟ ସଭା ସାଂସଦ ବିନୋଦ ତାୱଡେଙ୍କୁ ଦଳର ଉତ୍ତର ପ୍ରଦେଶ ପ୍ରଭାରୀ ନିଯୁକ୍ତ କରାଯାଇଛି। ଜଗଦୀଶ ଈଶ୍ୱରଭାଇ ପଟେଲଙ୍କୁ ସହ-ପ୍ରଭାରୀ କରାଯାଇଛି। ଭାଜପା ଅଧ୍ୟକ୍ଷ ନୀତିନ ନବୀନଙ୍କ ପକ୍ଷରୁ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ ଏବଂ ଜାତୀୟ ପଦାଧିକାରୀଙ୍କ ନୂଆ ଟିମ ଘୋଷଣା ପରେ ଏହି ନିଯୁକ୍ତି କରାଯାଇଛି। ସତୀଶ ପୁନିଆଙ୍କୁ ପଞ୍ଜାବର ଦାୟିତ୍ୱ ଦିଆଯାଇଥିବା ବେଳେ ତରୁଣ ଚୁଘ ଗୁଜରାଟର ଦାୟିତ୍ୱ ସମ୍ଭାଳିବେ।

୬୩ ବର୍ଷୀୟ ବିନୋଦ ତାୱଡେ ଭାଜପାରେ ପରଦା ପଛରେ ରହି କାମ କରୁଥିବା ଜଣେ ଦକ୍ଷ ସଂଗଠକ ଭାବେ ପରିଚିତ। ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା, ସଦସ୍ୟତା ଅଭିଯାନ ଚଳାଇବା ଏବଂ ମେଣ୍ଟରେ ସମନୱୟ ରକ୍ଷା କରିବାରେ ତାଙ୍କର ଅଭିଜ୍ଞତା ରହିଛି। ମହାରାଷ୍ଟ୍ରର ନେତା ତାୱଡେ ୨୦୧୪ରୁ ବିଧାୟକ ରହିଥିଲେ ଏବଂ ଦେବେନ୍ଦ୍ର ଫଡନ୍‌ଭିସ ସରକାରରେ ଶିକ୍ଷା, ଚିକିତ୍ସା ଶିକ୍ଷା, କ୍ରୀଡ଼ା, ସଂସଦୀୟ କାର୍ଯ୍ୟ ଓ ସାଂସ୍କୃତିକ ବ୍ୟାପାର ଭଳି ଅନେକ ବିଭାଗର ମନ୍ତ୍ରୀ ଥିଲେ। ତେବେ ୨୦୧୯ର ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ମିଳିନଥିଲା। ଏହାପରେ ସେ ଜାତୀୟ ସ୍ତରରେ ସଂଗଠନର ଦାୟିତ୍ୱ ସମ୍ଭାଳିବା ଉପରେ ଧ୍ୟାନ ଦେଇଥିଲେ।

ପରବର୍ତ୍ତୀ ସମୟରେ ସେ NDAର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦ ପ୍ରାର୍ଥୀଙ୍କ ନିର୍ବାଚନୀ ଅଭିଯାନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏଥିରେ ୨୦୨୨ରେ ଦ୍ରୌପଦୀ ମୁର୍ମୁ ଏବଂ ୨୦୨୫ରେ ସି.ପି. ରାଧାକୃଷ୍ଣନଙ୍କ ପାଇଁ ସମର୍ଥନ ଯୋଗାଡ଼ କରିବା ମଧ୍ୟ ସାମିଲ ଥିଲା। ତାୱଡେ ୨୦୨୨ରୁ ଭାଜପାରୁ ବିହାର ପ୍ରଭାରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାଛଡ଼ା ଅନେକ ରାଜ୍ୟରେ ଦଳର ନିର୍ବାଚନୀ ଓ ସଂଗଠନୀୟ ରଣନୀତି ପ୍ରସ୍ତୁତିରେ ସେ ସାମିଲ ରହିଛନ୍ତି।

୮୦ଟି ଲୋକ ସଭା ଆସନ ଏବଂ ୪୦୩ଟି ବିଧାନସଭା ଆସନ ଥିବା ଉତ୍ତର ପ୍ରଦେଶ ଭାଜପାର ଜାତୀୟ ରଣନୀତିର କେନ୍ଦ୍ରରେ ରହିଛି। ୨୦୨୪ ଲୋକସଭା ନିର୍ବାଚନରେ ବହୁତ ଆସନ ହରାଇବା ପରେ ଏବେ ଦଳ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ରହିଛି। ତାୱଡେଙ୍କ ନିଯୁକ୍ତି ଦ୍ୱାରା ଭାଜପାର କେନ୍ଦ୍ରୀୟ ନେତୃତ୍ୱ ଓ ଉତ୍ତର ପ୍ରଦେଶ ୟୁନିଟ ମଧ୍ୟରେ ସମନୱୟ ଆହୁରି ଭଲ ହେବ ଏବଂ ଆଭ୍ୟନ୍ତରୀଣ ମତଭେଦ ସମାଧାନରେ ସହାୟତା ମିଳିବ ବୋଲି ମନେ କରାଯାଉଛି।

୨୦୨୭ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ତାୱଡେଙ୍କୁ ସଂଗଠନରେ ନୂଆ ଉତ୍ସାହ ଭରିବା ଏବଂ କର୍ମୀମାନଙ୍କୁ ଆଉ ଏକ ବଡ଼ ନିର୍ବାଚନୀ ଲଢ଼େଇ ପାଇଁ ପ୍ରସ୍ତୁତ କରିବାର ଦାୟିତ୍ୱ ଦେଇଛି। ଏହି ରାଜ୍ୟରେ ଲଗାତାର ତୃତୀୟ ଥର ବିଜୟ ହାସଲ କରିବା ପାଇଁ ଦଳ ସମସ୍ତ ପ୍ରକାରର ପ୍ରୟାସ କରୁଛି।

 

Odisha’s No.1 Odia Daily

Share