ନିଲାମରେ ଇତିହାସ ରଚିଲା ଭାନ୍‌ ଗଗ୍‌ଙ୍କ ଚିତ୍ରକଳା, ଭାଙ୍ଗିଲା ୨୦୨୨ର ରେକର୍ଡ

ନ୍ୟୁୟର୍କ,୨୦।୧୧(ପି.ଟି.): ବିଶ୍ୱପ୍ରସିଦ୍ଧ ଡଚ୍‌ (ନେଦରଲାଣ୍ଡସ୍‌ ନାଗରିକ) ଚିତ୍ରଶିଳ୍ପୀ ଭିନ୍‌ସେଣ୍ଟ ଭାନ୍‌ ଗଗ୍‌ଙ୍କ ଏକ ଦୁର୍ଲଭ ଚିତ୍ରକଳା ନିଲାମ ଇତିହାସରେ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ୧୯୦.୪ ନିୟୁତ ଡଲାର (ପ୍ରାୟ ୧୯.୦୪ କୋଟି ଡଲାର) ମୂଲ୍ୟରେ ବିକ୍ରି ହୋଇଛି। ବୁଧବାର ନ୍ୟୁୟର୍କଠାରେ ସୋଥେବିଜ୍‌ ନିଲାମ ଘର ପକ୍ଷରୁ ଏହି ଚିତ୍ରକଳା ‘ଚେଷ୍ଟନଟ୍‌ ଟ୍ରିଜ୍‌ ଇନ୍‌ ବ୍ଲସମ’ (ଫ୍ରେଞ୍ଚ ନାମ: ଶାତେନିଏର୍‌ ଏଁ ଫ୍ଲୋର୍‌)ର ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ୧୮୯୦ ମସିହାରେ ଭାନ୍‌ ଗଗ୍‌ଙ୍କ ମୃତ୍ୟୁର ମାତ୍ର ଦୁଇ ମାସ ପୂର୍ବରୁ ଅର୍ଥାତ୍‌ ମେ ମାସରେ ଅଙ୍କିତ ଏହି ଚିତ୍ରକଳାଟି ଦୀର୍ଘଦିନ ଧରି ନାଜି ଜର୍ମାନୀ ଯୁଗର ଲୁଟ୍‌ ବିବାଦରେ ଛନ୍ଦିହୋଇ ରହିଥିଲା। ତେବେ ବର୍ତ୍ତମାନର ମାଲିକ ବ୍ଲାକିୟର୍‌-ଆରିଏଟା ପରିବାର ଏବଂ ଏହାର ପୂର୍ବତନ ଇହୁଦୀ ମାଲିକ ଫିସର୍‌ ପରିବାରର ଉତ୍ତରାଧିକାରୀଙ୍କ ମଧ୍ୟରେ ଏକ ଆପୋସ ବୁଝାମଣା ହେବା ପରେ ଏହି ନିଲାମ ସମ୍ଭବ ହୋଇପାରିଛି।
୧୯୦୯ ମସିହାରେ ଜର୍ମାନ ପ୍ରକାଶକ ସାମୁଏଲ ଫିସର୍‌ ପ୍ୟାରିସ୍‌ରୁ ଏହି ଚିତ୍ରକଳାଟିକୁ କିଣିଥିଲେ, କିନ୍ତୁ ୧୯୩୬ ମସିହାରେ ନାଜି ଶାସନ କାଳରେ ହୋଇଥିବା ଆର୍ଥିକ କ୍ଷତି ଯୋଗୁ ତାଙ୍କ ପରିବାର ଏହାକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ବୋଲି ଫିସରଙ୍କ ଉତ୍ତରାଧିକାରୀମାନେ ଦାବିକରି ପୂର୍ବରୁ ଏହି ନିଲାମକୁ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ୧୯୭୫ ମସିହାରେ ବ୍ଲାକିୟର୍‌ ପରିବାର ଏହାକୁ କିଣିଥିଲେ ଏବଂ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ନିଜ ପାଖରେ ରଖିଥିଲେ। ହୋଲୋକାଷ୍ଟ (ଇହୁଦୀ ନରସଂହାର) ସମୟରେ ଫିସର୍‌ ପରିବାର ସହିଥିବା ଯନ୍ତ୍ରଣା ଏବଂ ନ୍ୟାୟ ପାଇଁ ଜିସେଲା ବର୍ମନ ଫିସରଙ୍କ ସଂଘର୍ଷକୁ ସମ୍ମାନ ଜଣାଇ ଉଭୟ ପରିବାର ମଧ୍ୟରେ ଏକ ସନ୍ତୋଷଜନକ ସମାଧାନ ହୋଇଥିବା ସୋଥେବିଜ୍‌ ପକ୍ଷରୁ କୁହାଯାଇଛି। ଏହି ଐତିହାସିକ ବିକ୍ରି ୨୦୨୨ ମସିହାରେ କ୍ରିଷ୍ଟିଜ୍‌ ନିଲାମ ଘରେ ୧୧୭ ନିୟୁତ ଡଲାରରେ ବିକ୍ରି ହୋଇଥିବା ଭାନ୍‌ ଗଗ୍‌ଙ୍କ ‘ଅର୍ଚାର୍ଡ ୱିଥ୍‌ ସାଇପ୍ରେସେସ୍‌’ (୧୮୮୮) ଚିତ୍ରକଳାର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି।

 

Dharitri – Odisha’s No.1 Odia Daily

Share