ନୂଆପଡ଼ା,୧୫ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଢେକୁନପାଣି ଗଁାରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯୋଗୁ ଲୋକେ ଅନ୍ଧାରରେ ରାତି ବିଉଛନ୍ତି। ବରିଷ୍ଠ କଂଗ୍ରେସ ନେତା ରବି ମଙ୍ଗରାଜଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ଦାବିରେ ଟିପିଡବ୍ଲ୍ୟୁଓଡିଏଲ୍ ନିର୍ବାହୀ ଯନ୍ତ୍ରୀ ନୂଆପଡାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଢେକୁନପାଣି ଗଁାରେ ଶହେରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି। ଜୁନ ଶେଷ ଭାଗରେ ବର୍ଷା ପବନ ହେବାରୁ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି। ଅଭୟାରଣ୍ୟ ଭିତରେ ସବୁବେଳେ ହିଂସ୍ରଜନ୍ତୁଙ୍କ ଭୟ ରହିଛି। ବିଦ୍ୟୁତ ନ ଥିବାରୁ ପିଲାଙ୍କ ପାଠପଢା ବ୍ୟାହତ ହେବା ସହ ପାନୀୟ ଜଳ ଯୋଗାଣ ପ୍ରଭାବିତ ହୋଇଛି। ମୋବାଇଲ ଚାର୍ଜ ହେଉ ନ ଥିବାରୁ ପିଲାଙ୍କ ଅନ୍ଲାଇନ ପାଠପଢା ହୋଇପାରୁ ନାହିଁ। ଗଁାର କେହି ହଠାତ୍ ରୋଗରେ ପୀଡିତ ହେଲେ ଆମ୍ବୁଲାନ୍ସକୁ ମଧ୍ୟ ଯୋଗାଯୋଗ ହୋଇପାରୁ ନାହିଁ। ଏ ନେଇ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସୁଫଳ ମିଳିନାହିଁ ା ଶେଷରେ ଶହେ କିଲୋମିଟର ଜଙ୍ଗଲିଆ ରାସ୍ତାରେ ନୂଆପଡା ଆସି ଯନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି। ଆଗାମୀ ୩ ଦିନ ଭିତରେ ନୂତନ ଟ୍ରାନ୍ସଫର୍ମର ସ୍ଥାପନ ହୋଇ ବିଦ୍ୟୁତ ସଂଯୋଗ ନ ହେଲେ ୪ର୍ଥ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏହି ସମୟରେ କଂଗ୍ରେସ ଜିଲା ସଭାପତି ଘାସିରାମ ମାଝି, ଧରମସିଂ ରାଉତ, ମାନୁ ରାଉତ, ପର୍ଶୁ ରାଉତ, ପେରମ ରାଉତ, ଘାସିରାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।