କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘବର୍ଷ ଧରି ରାସ୍ତାରେ ମାଟି ମୁଠେ ପଡୁ ନ ଥିବାରୁ ଖାଲଖମା ସୃଷ୍ଟି ହୋଇଛି। ଫଳରେ ଚାଲିଚାଲି ଯିବା ଦୂରେ ଥାଉ, ବାଇକ୍,ସାଇକେଲ ଆଦି ଛୋଟବଡ଼ ଗାଡ଼ିମୋଟର ଧରି ଯିବା ଆସିବା ପାଇଁ ଲୋକେ ହଇରାଣ ହେଉଛନ୍ତି।
ଡ୍ରେନ୍ ବ୍ୟବସ୍ଥା ନ ଥିବାରୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଘରେ ପାଣି ପଶୁଛି। ସାମାନ୍ୟ ବର୍ଷା ହେଲେ ପୋଖରୀ ଭ୍ରମ ସୃଷ୍ଟି ହେଉଛି। ଅନେକଥର ବିଭିନ୍ନସ୍ତରରେ ଅଭିଯୋଗ ହୋଇ ଆସୁଥିଲେ ହେଁ କୌଣସି ସୁଫଳ ମିଳୁନି। ସେନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବନାଯୋଡ଼ି ୨୦ ନମ୍ବର ଜାତୀୟ ରାଜପଥର ସର୍ଭିସରାସ୍ତା ନିକଟରୁ ଭୁରୁଡ଼ିସାହି ଚତୁର୍ଭୁଜ ଦେହରୁୀଙ୍କ ଘର ନିକଟକୁ କଂକ୍ରିଟ ରାସ୍ତା ଓ ଡ୍ରେନ୍ ବ୍ୟବସ୍ଥା କରାଯିବାକୁ ଲୋକନାଥ ଅମାନ୍ତ, ନାରାୟଣ ବାରିକ, ଦିଲ୍ଲିପ କୁମାର ବାରିକ, ଶାନ୍ତିଲତା ଦେହରୀ, କୁକିଳ ଦେହୁରୀ, ରଶ୍ନିରେଖା ଦେହୁରୀ, ପଦ୍ମଲୋଚନ ନାଏକ, ଗଙ୍ଗାଧର ନାଏକ, ଈଶ୍ବର ନାଏକ, କିଶୋର ନାଏକ, ଇଲାଚି ଗିରି, କୁନୁ ନାଏକ, ପ୍ରିୟତ୍ତମା ନାଏକ, ଚଞ୍ଚଳା ନାଏକ, ଶାନ୍ତିଲତା ଦେହୁରୀ ପ୍ରମୁଖ ଦାବି କରିଛନ୍ତି। ତୁରନ୍ତ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଗଲେ ଭୋଟ୍ ବର୍ଜନ କରିବାକୁ ଭୁରୁଡ଼ିସାହି ବାଦିନ୍ଦା ନିଷ୍ପତ୍ତି ନେଇଛନ୍ତି।

